ବଟି ପାଇଁ ସାଇଟ୍‌ ଇନ୍‌ଚାର୍ଜଙ୍କୁ ଅପହରଣ

ପୁରୀ ଅଫିସ, ୧୨ା୨: ବଟି ଆଦାୟ ଓ ଅପହରଣ ଅଭିଯୋଗରେ ଚନ୍ଦନପୁର ଥାନା ପୋଲିସ ୬ଜଣଙ୍କୁ ଗିରଫ କରି ଶୁକ୍ରବାର କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଚନ୍ଦନପୁର ଥାନା ଅଧୀନ ପିତେଇପୁର ଗ୍ରାମର ପ୍ରକାଶ ସ୍ବାଇଁ, ଦାଣ୍ଡସାହିର ସୋମନାଥ ବାରିକ, ଦାସଗୋବା ଗ୍ରାମର ସୁଶାନ୍ତ ବାରିକ, ଜୟ ମୁଦୁଲି, ଜାନକୀଦେଈପୁର ଗ୍ରାମର ଉମେଶ ଦାଶ ଏବଂ ମହେଶ ସେଠୀ। ଏମାନଙ୍କଠାରୁ ଦୁଇଟି ବନ୍ଧୁକ, ଦୁଇଟି ଖଣ୍ଡା, ୫ ମୋବାଇଲ ଫୋନ୍‌, ଦୁଇଟି ବାଇକ୍‌, ନଗଦ ୪୫୭୦ ଟଙ୍କା ଏବଂ ଗୋଟିଏ ପାଇପ ଜବତ କରିଛି। ପୋଲିସ ସୂଚନା ଅନୁଯାୟୀ, ଅଭିଯୁକ୍ତମାନେ ଗତ ୯ ତାରିଖରେ ଗବକୁଣ୍ଡ ବ୍ରିଜ ନିର୍ମାଣ କରୁଥିବା କଣ୍ଟ୍ରାକ୍ଟର ସୁବାସ ସ୍ବାଇଁଙ୍କୁ ଫୋନ କରି ଧମକ ଦେବା ସହ କାମର ୨ପ୍ରତିଶତ ଅର୍ଥ ବଟି ମାଗିଥିଲେ। ପରେ ୧୦ ତାରିଖରେ ଅଭିଯୁକ୍ତମାନେ ଘଟଣାସ୍ଥଳକୁ ଆସି ସାଇଟ୍‌ ଇନ୍‌ଚାର୍ଜ ଭାବେ କାର୍ଯ୍ୟ କରୁଥିବା ପ୍ରଦୀପ ସ୍ବାଇଁଙ୍କୁ ଅପହରଣ କରି ୧୦ ଲକ୍ଷ ଟଙ୍କା ବଟି ମାଗିଥିଲେ। ଏ ସମ୍ପର୍କରେ ସୁବାସ ଥାନାରେ ଏତଲା ଦେବା ପରେ ପୋଲିସର ଏକ ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ସେହିଦିନ ରାତି ସାଢେ ୧୦ଟାରେ ପିତେଇପୁର ଗ୍ରାମରୁ ଅଭିଯୁକ୍ତମାନଙ୍କୁ ଗିରଫ କରିବା ସହ ଅପହୃତ ପ୍ରଦୀପଙ୍କୁ ଉଦ୍ଧାର କରିଥିଲା।

Share