କିଡ୍‌ନୀ ଡାଏଲିସିସ୍‌

ଡାଏଲିସିସ୍‌ ହେଉଛି ରାସାୟନିକ ଉପାଦାନଗୁଡ଼ିକର ଏକ ପୃଥକୀକରଣ ପଦ୍ଧତି। କିଡ୍‌ନୀ ଦ୍ୱୟ କାମ କରିବା ପାଇଁ ଅକ୍ଷମ ହୋଇପଡ଼ିଲେ ଡାଏଲିସିସ୍‌ ପଦ୍ଧତିଟି କିଡ୍‌ନୀ ଭଳି ରକ୍ତ ଛାଣିବା କାମ ତୁଲେଇଥାଏ। ତା’ସହ ରକ୍ତରେ ଥିବା କୋଷିକା ଓ ପ୍ରୋଟିନ୍‌ ଅଣୁ ଇତ୍ୟାଦିକୁ ବାହାର କରି ନ ଦେଇ ରକ୍ତରେ ଜମି ଯାଇଥିବା ଅଦରକାରୀ ତଥା କ୍ଷତିକାରୀ ଉପାଦାନଗୁଡ଼ିକୁ ନିଷ୍କାସନ କରିଦିଏ। ସେମିଘର୍‌ମିଏବଲ୍‌ ପରଦା ଡାଏଲିସିସ୍‌ରେ ବ୍ୟବହୃତ ହୋଇଥାଏ। ଏହି ପରଦାଟି ସେଲ୍ୟୁଲୋଜ୍‌ ଏସିଟେଟ୍‌ କିମ୍ବା ପଲି ୟୁରେଥେନ୍‌ କିମ୍ବା ନାଇଟ୍ରୋ ସେଲ୍ୟୁଲୋଜ୍‌ ନାମକ ଉପାଦାନରେ ତିଆରି ହୋଇଛି। ଉକ୍ତ ପରଦାଟିରେ ବିଭିନ୍ନ ଆକାର ବିଶିଷ୍ଟ ସୂକ୍ଷ୍ମ ଛିଦ୍ରମାନ ରହିଥାଏ। ସେହି ଛିଦ୍ରଗୁଡ଼ିକ ମଧ୍ୟ ଦେଇ ରକ୍ତରେ ଜମି ଥିବା କ୍ଷତିକାରୀ ବର୍ଜ୍ୟ ଉପାଦାନଗୁଡ଼ିକ ରକ୍ତ ଭିତରୁ ପରଦାର ଅନ୍ୟପଟେ ରହିଥିବା ଡାଏଲିସିସ୍‌ ଦ୍ରବଣ ବା ଡାଏଲାଇସେଟ୍‌ ଭିତରକୁ ସ୍ଥାନାନ୍ତରିତ ହୋଇଯାଏ। ଫଳରେ ସେହି ସବୁ ବର୍ଜ୍ୟର ପରିମାଣ ରକ୍ତରେ ହ୍ରାସ ପାଏ। ରକ୍ତ କୋଷିକା ଓ ପ୍ରୋଟିନ୍‌ ଅଣୁ ଭଳି ବଡ଼ ଆକାରର ଉପାଦାନମାନ ଉକ୍ତ ସେମିପର୍‌ମିଏବଲ୍‌ ପରଦାକୁ ଭେଦି ଅନ୍ୟପଟକୁ ଯାଇପାରନ୍ତିନି। ଆକ୍ୟୁଟ୍‌ ରେନାଲ୍‌ ଫେଲ୍ୟୁଓର୍‌ରେ ରୋଗୀ ଓ ଟ୍ରାନ୍ସପ୍ଲାଣ୍ଟେଶନ୍‌ ପାଇଁ ଅପେକ୍ଷା କରିଥିବା କ୍ରନିକ୍‌ ରେନାଲ୍‌ ଫେଲ୍ୟୁଓର୍‌ ରୋଗୀ ଓ ଟ୍ରାନ୍ସପ୍ଲାଣ୍ଟେଶନ୍‌ ସମ୍ଭବ ହୋଇ ପାରୁ ନ ଥିବା ରୋଗୀମାନଙ୍କ ପାଇଁ ଡାଏଲିସିସ୍‌ ହିଁ ଏକମାତ୍ର ସନ୍ତୋଷଜନକ ପନ୍ଥା।