କିଡ୍‌ନୀ ଠକେଇ ର଼୍ୟାକେଟ୍‌ରୁ ପର୍ଦ୍ଦା ହଟିଲାନି

ଭୁବନେଶ୍ୱର,୨୫।୧(ବ୍ୟୁରେ): କିଡ୍‌ନୀ ଦେବାକୁ କହି ବହୁ କୋଟି ଟଙ୍କା ଠକିନେଇଥିବା କେନ୍ଦ୍ରାପଡ଼ାର ହିମାଂଶୁ ଭୂଷଣ ନନ୍ଦଙ୍କ ର଼୍ୟାକେଟର ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି। ୪ବର୍ଷ ତଳେ ସେ ୩ଜଣ କିଡ୍‌ନୀ ରୋଗୀଙ୍କୁ ଡୋନର ଯୋଗାଇଦେବାରେ ସଫଳ ହୋଇଥିଲେ। ଏଥିପାଇଁ ହିମାଂଶୁ ସମସ୍ତ ସମ୍ମତିପତ୍ର ତଥା ଡିଏମ୍‌ଇଟି ଓ କୋର୍ଟ ଅନୁମତି ମଧ୍ୟ ଆଣିଥିଲେ। ତେବେ କିଡ୍‌ନୀ ଦାତା ଯୋଗାଡ଼ କରିବା ପରେ ସେ ରୋଗୀଙ୍କ ପରିବାର ଲୋକଙ୍କଠାରୁ ମୋଟା ଅଙ୍କର ଟଙ୍କା ନେଇଥିଲେ। ଏହାପରେ ତାଙ୍କ ପାଖକୁ କିଡ୍‌ନୀ ପାଇଁ ଲୋକଙ୍କ ଧାଡ଼ି ଲମ୍ବିଲା। ଏହାର ସୁଯୋଗ ଦେଇ ରାତାରାତି କୋଟିପତି ହେବାକୁ ତାଙ୍କ ମୁଣ୍ଡରେ ସଇତାନ ବୁଦ୍ଧି ପଶିଲା। ଆପଣାଇଲେ ଠକେଇର ରାସ୍ତା। ଲୋକଙ୍କୁ କିଡ୍‌ନୀ ଯୋଗାଇଦେବାକୁ କଥାଦେଇ ନକଲି କୋର୍ଟ ପେପର ଦେଖାଇ ଲକ୍ଷ ଲକ୍ଷ ଟଙ୍କା ଠକିଥିଲେ। ଏମତିକି ବିଶ୍ୱାସ ଜନ୍ମାଇବାକୁ ସହଯୋଗୀ ସଞ୍ଜୟ ପଲେଇଙ୍କୁ କିଡ୍‌ନୀଦାତା ସଜାଇ ଲୋକଙ୍କ ନିକଟକୁ ନେଉଥିଲା। ଲକ୍ଷ୍ମୀସାଗର ଥାନା ପୋଲିସ ରିମାଣ୍ଡରେ ଆଣି ଜେରା କରିବା ସମୟରେ ହିମାଂଶୁ ପୂରା ଘଟଣା ସମ୍ପର୍କରେ କହିଥିଲେ। ହେଲେ ଏଥିରେ ଆଉ କେଉଁମାନଙ୍କ ସମ୍ପୃକ୍ତି ରହିଛି, ଠକିଥିବା ଟଙ୍କା କେଉଁଠି ରଖିଛନ୍ତି, କେଉଁ ଡାକ୍ତରଙ୍କ ସହଯୋଗରେ ଠକେଇ କରୁଥିଲେ ଆଦି ବାବଦରେ ପୋଲିସ ଘଣ୍ଟା ଘଣ୍ଟା ଧରି ଗୁଡ଼ାଇତୁଡ଼ାଇ ପ୍ରଶ୍ନ କରିଥିଲେ ମଧ୍ୟ କିଛି ନୂଆ ତଥ୍ୟ ପାଇପାରିନି। ହିମାଂଶୁ ପୂର୍ବ ରିମାଣ୍ଡରେ ନୟାପଲ୍ଲୀ ପୋଲିସକୁ ଯାହା କହିଥିଲେ ଲକ୍ଷ୍ମୀସାଗର ପୋଲିସକୁ ସେୟା କହ ଭୁଆଁ ବୁଲାଇଥିବା ଜଣାପଡିଛି। ଫଳରେ ହିମାଂଶୁଙ୍କୁ ୨ଦିନିଆ ରିମାଣ୍ଡରେ ଆଣି ଠକେଇ ର଼୍ୟାକେଟ ଉପରୁ ସମ୍ପୂର୍ଣ୍ଣ ଭାବେ ପରଦା
ହଟାଇ ପାରିନି କମିଶନରେଟ ପୋଲିସ।
ନୟାପଲ୍ଲୀ ପୋଲିସ ହିମାଂଶୁଙ୍କୁ ପ୍ରଥମେ ୩ଦିନିଆ ରିମାଣ୍ଡରେ ଆଣିଥିଲା। ଠକେଇ ଟଙ୍କା ଲାଗିଥିବା ଇଣ୍ଟେରିଅର ଶୋ’ରୁମ୍‌ ଠାବ କରି ପୋଲିସ ତାହାକୁ ସିଜ୍‌ କରିବା ସହ ହିମାଂଶୁ ବ୍ୟବହାର କରୁଥିବା କମ୍ପ୍ୟୁଟରର ହାର୍ଡଡିସ୍କ, କାର ଓ କିଛି ଏଟିଏମ୍‌ କାର୍ଡ ଜବତ କରିଥିଲା। କିଡ୍‌ନୀ ର଼୍ୟାକେଟ୍‌ରେ ତାଙ୍କ ସହ କେତେଜଣ ଡାକ୍ତରଙ୍କ ସମ୍ପୃକ୍ତି ଥିବା ନେଇ ପୋଲିସ ସନ୍ଦେହ କରି ପୁଣି ରିମାଣ୍ଡରେ
ଆଣିଥିଲେ ମଧ୍ୟ କିଛି ସୁଫଳ ମିଳିନି।
ସୂଚନାଯୋଗ୍ୟ, ହିମାଂଶୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲର ମାର୍କେଟିଂ ବିଭାଗରେ ଚାକିରୀ କରୁଥିଲେ। ଏହି ସମୟରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲୋକଙ୍କୁ କିଡ୍‌ନୀ ଦେବାକୁ କହି ଟଙ୍କା ଠକିଥିଲେ। କେବଳ ଭୁବନେଶ୍ୱରର ୪ ଥାନାରେ ତାଙ୍କ ନାଁରେ ୩୫ଲକ୍ଷରୁ
ଊର୍ଦ୍ଧ୍ୱ ଟଙ୍କା ଠକେଇ ଅଭିଯୋଗ ରହିଛି।

Share