Advertisement

ଔଷଧ ପାଇଁ କିଡ୍‌ନୀ ରୋଗୀଙ୍କ ଭିକ୍ଷାବୃତ୍ତି

ରାଉରକେଲା,୨୫।୮(ଦିନେଶ ମିଶ୍ର): ରାଉରକେଲା ଉଦିତନଗର ଚୌଧୁରୀ ପେଟ୍ରୋଲ ପମ୍ପ ନିକଟରେ ରହୁଛନ୍ତି ଅଙ୍କିତ କୁମାର(୨୩)। ସେ ଦୀର୍ଘବର୍ଷ ଧରି କିଡ୍‌ନୀ ରୋଗରେ ପୀଡିତ। ଅର୍ଥାଭାବ ଯୋଗୁ ସେ ଔଷଧ କିଣି ଖାଇପାରୁନାହାନ୍ତି। ଫଳରେ ସେ ୬ ମାସ ହେଲା ଭିକ୍ଷାବୃତ୍ତିକୁ ଆପଣେଇଛନ୍ତି। ଭିକ୍ଷା କରି ଯାହା ମିଳୁଛି ସେଥିରେ ଅଙ୍କିତ ଔଷଧ କିଣି ଖାଉଛନ୍ତି।
ଅଙ୍କିତଙ୍କ ଘର ବିହାର ରାଜ୍ୟ ଗୟା ଅଞ୍ଚଳରେ ଏବଂ ତାଙ୍କ ବାପା ସଲେସ କୁମାର ଜଣେ ଚାଷୀ। ଅଙ୍କିତଙ୍କୁ ୧୪ ବର୍ଷ ହୋଇଥିଲା ବେଳେ ତାଙ୍କ ମା’ କୁମକୁମ କୁମାରୀ ଅଜଣାରୋଗରେ ମୃତ୍ୟୁବରଣ କଲେ। ପରେ ଅଙ୍କିତ ବାପାଙ୍କୁ ଚାଷକାମରେ ସହଯୋଗ କଲେ। ୨୦୧୨ରେ ତାଙ୍କ ପେଟରେ ଷ୍ଟୋନ୍‌ ହୋଇଥିଲା। ଚାଷୀ ମୂଲିଆ ଘର ହୋଇଥିବାରୁ ତାଙ୍କ ବାପା ତାଙ୍କୁ ସେହି ସମୟରେ ଭଲ ଚିକିତ୍ସା କରାଇ ପାରି ନ ଥିଲେ। ଅଙ୍କିତଙ୍କ ପେଟରେ ଷ୍ଟୋନ ବଡିବାରେ ଲାଗିଲା। ସ୍ଥାନୀୟ ଅଞ୍ଚଳର କିଛି ସମାଜସେବୀଙ୍କ ସାହାଯ୍ୟରେ ବନରାସ ସ୍ଥିତ ସରକାରୀ ହସ୍ପିଟାଲରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା। ଅଙ୍କିତ ଡାକ୍ତରଖାନାରୁ ଆସିବା ପରେ ଅର୍ଥାଭାବରୁ ଔଷଧ ଖାଇପାରିଲେନି। ଫଳରେ ଏହି ରୋଗ ଭଲହେବା ପରିବର୍ତ୍ତେ ତାଙ୍କ କିଡ୍‌ନୀରେ ପ୍ରଭାବ ପକାଇଲା। ଫଳରେ ସଲେସ ଅଙ୍କିତଙ୍କୁ ଧରି ରାଉରକେଲାସ୍ଥିତ ସମ୍ପର୍କୀୟଙ୍କ ଘରକୁ ଚାଲି ଆସିଥିଲେ। ରାଉରକେଲାରେ ସମ୍ପର୍କୀୟ ଦାଦାଙ୍କ ଘରେ ଅଙ୍କିତଙ୍କୁ ଛାଡି ସଲେସ ଗାଁକୁ ଅର୍ଥ ଯୋଗାଡ କରିବାକୁ ପଳାଇ ଯାଇଥିଲେ। ପରେ ତାଙ୍କ ସମ୍ପର୍କୀୟ ଦାଦା ଏକ ଘରୋଇ କ୍ୟାମ୍ପରେ ଏହି ରୋଗକୁ ନେଇ ଡାକ୍ତରଙ୍କ ସହ ପରାମର୍ଶ କରିଥିଲେ। ଏଥିପାଇଁ ଡାକ୍ତର ୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି କହିଥିଲେ। ଏଥିସହ ତାଙ୍କୁ ଔଷଧ ଖାଇବା ପାଇଁ ପରାମର୍ଶ ଦେଇଥିଲେ। ବର୍ତ୍ତମାନ ଅଙ୍କିତ ରାଉରକେଲାରେ ଔଷଧ ପାଇଁ ୬ ମାସ ହେଲା ଭିକ୍ଷାବୃତ୍ତି କରୁଥିବା ଦେଖିବାକୁ ମିଳିଛି। ପ୍ରତିମାସରେ ଔଷଧ ପିଛା ୧୫ ଶହ ଟଙ୍କା ଖର୍ଚ୍ଚ ହେଉଥିବାବେଳେ ଏଭଳି ଭିକ୍ଷାବୃତ୍ତି କରି ନିଜ ଜୀବନ ବଞ୍ଚାଇବାକୁ ସେ ଉଦ୍ୟମ ଜାରି ରଖିଛନ୍ତି। ପ୍ରଶାସନ କିମ୍ବା କୌଣସି ସହୃଦୟ ବ୍ୟକ୍ତି ତାଙ୍କୁ ସହଯୋଗ କଲେ ଅଙ୍କିତ ଉପକୃତ ହୁଅନ୍ତେ ବୋଲି କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share