କିଡ୍‌ନୀ ସମସ୍ୟା ଓ ଡାଏଲିସିସ୍‌

ଆମମାନଙ୍କ ଜୀବନଯାତ୍ରା ଏବେ ଖୁବ୍‌ ପରିବର୍ତ୍ତିତ ହୋଇଗଲାଣି। ଫଳରେ ବଢ଼ି ବଢ଼ି ଚାଲିଛି ଡାଇବେଟିସ୍‌, ହୃଦ୍‌ରୋଗ, ଉଚ୍ଚ ରକ୍ତଚାପ, ମେଦବହୁଳତା ଓ କ୍ରନିକ୍‌ କିଡ୍‌ନୀ ଡିଜିଜ୍‌ ବା ଦୀର୍ଘକାଳୀକ ବୃକ୍‌କ ରୋଗ। ୨୦୧୯ ମସିହାରେ ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥାର ପରିସଂଖ୍ୟାନ ଅନୁଯାୟୀ ପୃଥିବୀର ପ୍ରାୟ ୮୫ କୋଟି ଲୋକ କିଡ୍‌ନୀ ରୋଗରେ ଆକ୍ରାନ୍ତ। ସେମାନଙ୍କ ମଧ୍ୟରେ ପାଖାପାଖି ୨୪ ଲକ୍ଷ ରୋଗୀ ପ୍ରତିବର୍ଷ ମୃତ୍ୟୁମୁଖରେ ପଡ଼ିଥାନ୍ତି। ଆମ ଦେଶରେ ମଧ୍ୟ କ୍ରନିକ୍‌ କିଡ୍‌ନୀ ରୋଗୀଙ୍କ ସଂଖ୍ୟା କିଛି କମ୍‌ ନୁହେଁ।
କିଡ୍‌ନୀର କାମ:
ଆମ ପେଟ ଭିତରେ ମେରୁ ଦଣ୍ଡର ବାମ ଓ ଡାହାଣ ପଟେ ଥାଏ ଗୋଟିଏ ଲେଖାଏ କିଡ୍‌ନୀ। କିଡ୍‌ନୀର ଆକୃତି ଶିମ୍ବ ମଞ୍ଜି ଭଳି ଓ ପ୍ରତ୍ୟେକର ଓଜନ ୧୫୦ ଗ୍ରାମ ପାଖାପାଖି। କିଡ୍‌ନୀ ଦୁଇଟି ଶରୀରର ରକ୍ତଛଣା ଅଙ୍ଗ। ଏହା ଭିତର ଦେଇ ରକ୍ତ ପ୍ରବାହିତ ହେଲେ ଏହା ସେହି ରକ୍ତକୁ ଛାଣି ପ୍ରୋଟିନ୍‌ ଭଳି ଦରକାରୀ ଉପାଦାନ ରକ୍ତରେ ରଖିଦିଏ ଏବଂ ୟୁରିଆ, ୟୁରିକ୍‌ ଏସିଡ୍‌, କ୍ରିଏଟିନିନ୍‌, କ୍ଲୋରାଇଡ ଫସ୍‌ଫେଟ୍‌, ସଲ୍‌ଫେଟ୍‌ ଆଦି କେତେକ ଅଦରକାରୀ ଉପାଦାନକୁ ପରିସ୍ରା ବାଟେ ଶରୀରରୁ ନିଷ୍କାସନ କରିଦିଏ। ଏହାର ଅନ୍ୟାନ୍ୟ କାର୍ଯ୍ୟ ଥିଲେ ମଧ୍ୟ ଅପ୍ରୟୋଜନ ଉପାଦାନଗୁଡ଼ିକୁ ଦେହରୁ ବାହାର କରିଦେବା କିଡ୍‌ନୀର ପ୍ରଧାନ କାର୍ଯ୍ୟ। ତେଣୁ ଏହି ଅଙ୍ଗଟି ରୋଗଗ୍ରସ୍ତ ହୋଇପଡ଼ିଲେ ସେହି ଅଦରକାରୀ କ୍ଷତିକାରୀ ପଦାର୍ଥଗୁଡ଼ିକ ଦେହରୁ ବାହାରି ନ ପାରି ରକ୍ତରେ ଜମି ଚାଲେ। ଏହାର ପରିଣାମରେ ରୋଗୀର ଜୀବନ ପାଇଁ ଜାତ ହୋଇପଡ଼େ ମହାସଙ୍କଟ।
କିଡ୍‌ନୀର ଅକ୍ଷମତା:
କିଡ୍‌ନୀ ଏପରି ଏକ ଅଙ୍ଗ ଯାହାର କାର୍ଯ୍ୟ ଅକ୍ଷମତା ଅନେକ ଡେରିରେ ଧରାପଡ଼େ। ଅଙ୍ଗଟି ପ୍ରାୟ ୮୦-୯୦ ଶତାଂଶ ଅକ୍ଷମ ହୋଇପଡ଼ିବାର ପୂର୍ବ ପର୍ଯ୍ୟନ୍ତ ରୋଗୀକୁ ସେ ସମ୍ପର୍କରେ କିଛି ଜଣାପଡ଼େନି। ପୁଣି ଅନେକ କ୍ଷେତ୍ରରେ ଗୋଟିଏ କିଡ୍‌ନୀ କାର୍ଯ୍ୟରହିତ ହୋଇପଡ଼ିଥିଲେ ମଧ୍ୟ ଅନ୍ୟଟି ସନ୍ତୋଷଜନକ ଭାବରେ କାର୍ଯ୍ୟ କରି ଚାଲିଥିବାରୁ କିଡ୍‌ନୀ ଅସୁସ୍ଥତା ବିଷୟରେ କୌଣସି ସୂଚନା ନ ମିଳିବା କିଛି ଅସ୍ବାଭାବିକ ନୁହେଁ।
ଦୁଇଟିଯାକ କିଡ୍‌ନୀ ସୁସ୍ଥ ଭାବରେ କାମ କରି ଚାଲିଥିବାବେଳେ ବିଭିନ୍ନ କାରଣବଶତଃ ଏହା ହଠାତ୍‌ ଅକାମୀ ହୋଇପଡ଼େ। ଏପରି ଅବସ୍ଥାକୁ କୁହାଯାଏ ‘ଆକ୍ୟୁଟ ରେନାଲ ଫେଲ୍ୟୁର୍‌’ ବା ଏଆର୍‌ଏଫ୍‌। କିଡ୍‌ନୀ ମଧ୍ୟଦେଇ ଯଥେଷ୍ଟ ରକ୍ତ ପ୍ରବାହିତ ହୋଇ ନ ପାରିବା ଯୋଗୁ ଏହାର ଅକ୍ଷମତା ଉପୁଜେ। ତରଳ ଝାଡ଼ା, ବାନ୍ତି ଯୋଗୁ ଡିହାଇଡ୍ରେଶନ୍‌ ହେବା, ଶରୀରରୁ ଅଧିକ ରକ୍ତକ୍ଷୟ ଘଟିବା, ଚର୍ମର ବେଶି ଅଂଶ ପୋଡ଼ିଯିବା, ସଂକ୍ରମଣ ବଢ଼ି ସେପ୍ଟିସିମିଆ ହେବା, ଅଂଶୁଘାତ ହେବା, ବିଷାକ୍ତ ସାପ କାମୁଡ଼ିବା, ବିଷ ଖାଇବା ଇତ୍ୟାଦି କାରଣରୁ ପ୍ରକାଶ ପାଏ ଆକ୍ୟୁଟ୍‌ କିଡ୍‌ନୀ ଅକ୍ଷମତା। ଏହା ମାରାତ୍ମକ ହୋଇଥିଲେ ମଧ୍ୟ ବିହିତ ଚିକିତ୍ସା ଫଳରେ ସୁଫଳ ମିଳିବାର ସମ୍ଭାବନା ବେଶି।
ଲକ୍ଷଣ:
ପରିସ୍ରାର ପରିମାଣ କମିଯିବା, ଅଇ ଉଠିବା, ବାନ୍ତି ହେବା, ଭୋକ ମରିଯିବା, ଦୁର୍ବଳତା ଅନୁଭବ କରିବା, ନିଦୁଆ ନିଦୁଆ ଲାଗିବା, ଶ୍ୱାସକଷ୍ଟ ହେବା, ପାଦ ଫୁଲିବା ଆଦି ଏହାର କେତୋଟି ସାଧାରଣ ଲକ୍ଷଣ।
ଅନ୍ୟ ପକ୍ଷରେ ରକ୍ତଚାପ ବଢ଼ି ଦୀର୍ଘଦିନ ଧରି ଅନିୟନ୍ତ୍ରିତ ଅବସ୍ଥାରେ ରହିଲେ, ଡାଇବେଟିସ୍‌ ନିୟନ୍ତ୍ରଣରେ ନ ଥିଲେ, କିଡ୍‌ନୀ ବାରମ୍ବାର ସଂକ୍ରମିତ ହେଲେ କିମ୍ବା ଯନ୍ତ୍ରଣା କମେଇବା ପାଇଁ ମୁଠା ମୁଠା ପେନ୍‌କିଲର୍‌ ଔଷଧ ଖାଇବା ଓ ପୁରୁଷଙ୍କଠାରେ ପ୍ରୋଷ୍ଟେଟ୍‌ ବଢ଼ିଥିଲେ କିଡ୍‌ନୀର କାର୍ଯ୍ୟଦକ୍ଷତା ଧୀରେ ଧୀରେ ହ୍ରାସ ପାଇ ତାହା କାର୍ଯ୍ୟରହିତ ହୋଇପଡ଼େ। ଏପରି ଅବସ୍ଥାକୁ କୁହାଯାଏ ଦୀର୍ଘକାଳୀକ କିଡ୍‌ନୀ ଅକ୍ଷମତା। ଡାକ୍ତରୀ ଭାଷାରେ ‘କ୍ରନିକ୍‌ ରେନାଲ୍‌ ଫେଲ୍ୟୁର୍‌’ ବା ସିଆର୍‌ଏଫ୍‌। ସିଆର୍‌ଏଫ୍‌କୁ ମଧ୍ୟ କ୍ରନିକ କିଡ୍‌ନୀ ଡିଜିଜ୍‌ ବା ସିକେଡି ବୋଲି କହନ୍ତି। ଏହି କ୍ରନିକ୍‌ ଅକ୍ଷମତାର ପ୍ରଥମ ଅବସ୍ଥାରେ କୌଣସି ଲକ୍ଷଣ ପ୍ରକାଶ ନ ପାଇପାରେ। ପରେ ପରେ ପରିସ୍ରାର ପରିମାଣ କମିଯାଏ, ଦୁର୍ବଳ ଲାଗେ, ଅଇ ଉଠେ, ଭୋକ ହୁଏନି, ଦେହ ହାତ କୁଣ୍ଡେଇ ହୁଏ, ରକ୍ତ କମିଯାଇ ରୋଗୀ ଅଚେତ ହେବା ଦେଖାଯାଏ, ଶ୍ୱାସ କଷ୍ଟ ହୁଏ ଓ ମୁହଁ, ପାଦ ଫୁଲେ।
ସିକେଡିର ପାଞ୍ଚଟି ପର୍ଯ୍ୟାୟ ଥାଏ। ପ୍ରଥମ ୪ଟି ପର୍ଯ୍ୟାୟଭୁକ୍ତ ରୋଗୀମାନେ ଔଷଧ ଚିକିତ୍ସାରେ ଉପଶମ ପାଇଥାନ୍ତି। ପଞ୍ଚମ ପର୍ଯ୍ୟାୟରେ ରୋଗୀଙ୍କ ପାଇଁ ଦରକାର ପଡ଼େ ଡାଏଲିସିସ୍‌ କିମ୍ବା କିଡ୍‌ନୀ ଟ୍ରାନ୍ସପ୍ଲାଣ୍ଟେଶନ୍‌ ବା ବୃକ୍‌କ ପ୍ରତିରୋପଣ। କିନ୍ତୁ ଡାଏଲିସିସ୍‌ ଅସ୍ଥାୟୀ ପ୍ରତିକାର ହୋଇଥିବା ବେଳେ କିଡ୍‌ନୀ ଟ୍ରାନ୍ସପ୍ଲାଣ୍ଟେଶନ୍‌ ହେଉଛି ସ୍ଥାୟୀ ପ୍ରତିକାର।
ଡାଏଲିସିସ୍‌ କ’ଣ:
ଡାଏଲିସିସ୍‌ ହେଉଛି ରାସାୟନିକ ଉପାଦାନଗୁଡ଼ିକର ଏକ ପୃଥକୀକରଣ ପଦ୍ଧତି। କିଡ୍‌ନୀଦ୍ୱୟ କାମ କରିବା ପାଇଁ ଅକ୍ଷମ ହୋଇପଡ଼ିଲେ ଡାଏଲିସିସ୍‌ ପଦ୍ଧତିଟି କିଡ୍‌ନୀ ଭଳି ରକ୍ତ ଛାଣିବା କାମ ତୁଲେଇଥାଏ। ରକ୍ତରେ ଥିବା କୋଷିକା ଓ ପ୍ରୋଟିନ୍‌ ଅଣୁ ଇତ୍ୟାଦିକୁ ବାହାର କରି ନ ଦେଇ ରକ୍ତରେ ଜମି ଯାଇଥିବା ଅଦରକାରୀ ତଥା କ୍ଷତିକାରୀ ଉପାଦାନଗୁଡ଼ିକୁ ନିଷ୍କାସନ କରିଦିଏ। ଡାଏଲିସିସ୍‌ରେ ବ୍ୟବହୃତ ହୋଇଥାଏ ସେମିପର୍‌ମିଏବଲ୍‌ ପରଦା। ଏହି ପରଦାଟି ସେଲ୍ୟୁଲୋଜ୍‌ ଏସିଟେଟ୍‌ କିମ୍ବା ପଲି ୟୁରେଥେନ୍‌ କିମ୍ବା ନାଇଟ୍ରୋ ସେଲ୍ୟୁଲୋଜ୍‌ ନାମକ ଉପାଦାନରେ ତିଆରି। ପରଦାଟିରେ ରହିଥାଏ ବିଭିନ୍ନ ଆକାର ବିଶିଷ୍ଟ ସୂକ୍ଷ୍ମ ଛିଦ୍ରମାନ। ସେହି ଛିଦ୍ରଗୁଡ଼ିକ ମଧ୍ୟ ଦେଇ ରକ୍ତରେ ଜମି ଥିବା କ୍ଷତିକାରୀ ବର୍ଜ୍ୟ ଉପାଦାନମାନ ରକ୍ତ ଭିତରୁ ପରଦାର ଅନ୍ୟପଟେ ରହିଥିବା ଡାଏଲିସିସ୍‌ ଦ୍ରବଣ ବା ଡାୟାଲାଇସେଟ୍‌ ଭିତରକୁ ସ୍ଥାନାନ୍ତରିତ ହୋଇଯାଏ। ଫଳରେ ରକ୍ତରେ ହ୍ରାସ ପାଏ ସେହି ସବୁ ବର୍ଜ୍ୟର ପରିମାଣ। ରକ୍ତ କୋଷିକା ଓ ପ୍ରୋଟିନ୍‌ ଅଣୁ ଭଳି ବଡ଼ ଆକାରର ଉପାଦାନମାନ ଉକ୍ତ ସେମିପର୍‌ମିଏବଲ୍‌ ପରଦାକୁ ଭେଦି ଅନ୍ୟପଟକୁ ଯାଇପାରନ୍ତିନି।
ଆକ୍ୟୁଟ୍‌ ରେନାଲ୍‌ ଫେଲ୍ୟୁର୍‌ ରୋଗୀ ଓ ଟ୍ରାନ୍ସପ୍ଲାଣ୍ଟେଶନ୍‌ ପାଇଁ ଅପେକ୍ଷା କରିଥିବା କ୍ରନିକ୍‌ ରେନାଲ୍‌ ଫେଲ୍ୟୁର୍‌ ରୋଗୀ ଓ ଟ୍ରାନ୍ସପ୍ଲାଣ୍ଟେଶନ୍‌ ସମ୍ଭବ ହୋଇ ପାରୁ ନ ଥିବା ରୋଗୀମାନଙ୍କ ପାଇଁ ଡାଏଲିସିସ୍‌ ହିଁ ଏକମାତ୍ର ସନ୍ତୋଷଜନକ ପନ୍ଥା। (କ୍ରମଶଃ..)

ଡା. ନିତ୍ୟାନନ୍ଦ ସ୍ବାଇଁ
-ଅଭିପ୍‌ସା, ସେକ୍ଟର-୬, ପ୍ଲଟ ନଂ-୧୧୩୧, ଅଭିନବ ବିଡ଼ାନାସୀ, କଟକ ମୋ: ୯୪୩୭୭୬୬୧୧୭


Enter your email to get our daily news in your inbox.

All Right Reserved By Dharitri.Com

୨୦୨୫ରେ ଏହି ୩ ରାଶି ବ୍ୟକ୍ତିଙ୍କର ଚମକିବ ଭାଗ୍ୟ

ନୂତନ ବର୍ଷ ୨୦୨୫ ଆରମ୍ଭ ହେବାକୁ ଯାଉଛି। ଏହି ବର୍ଷ କିଛି ରାଶିର ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହେବାକୁ ଯାଉଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ,...

ଶୀତଦିନେ ସୁସ୍ଥ ରହିବାକୁ ଚାହୁଁଥିଲେ ଖାଆନ୍ତୁ ଏସବୁ…

ସାଧାରଣତଃ ଶୀତଦିନେ ପାଳଙ୍ଗ ଶାଗ, ମେଥିଶାଗ, ସୋରିଷ ଶାଗ ଓ ମୂଳା ଶାଗ ଅଧିକ ପରିମାଣରେ ମିଳିଥାଏ। ଏଥିରେ ଭିଟାମିନ୍‌-ଏ, ଭିଟାମିନ୍‌ ‘ସି’, ଭିଟାମିନ୍‌ ‘ଇ’,...

ଡାଇବେଟିସ୍‌ ସମସ୍ୟା ଥିଲେ…

ଯଦି ଆପଣ ଡାଇବେଟିସ୍‌ରେ ଆକ୍ରାନ୍ତ ତେବେ ପ୍ରଥମ କଥା ହେଲା ନିୟମିତ ସମୟ ଅନ୍ତରାଳରେ ରକ୍ତରେ ସୁଗାର ପରିମାଣ କେତେ ରହୁଛି ତାହା ମାପି ନିଅନ୍ତୁ।...

ଦୂର ସାଗରର ଝଡ଼

ଜଳର ବଳ: ବାୟୁରେ ଅସଂଖ୍ୟ ଜଳୀୟବାଷ୍ପ କଣିକା ଅଦୃଶ୍ୟ ରୂପେ ଥାଏ। ଶୀତଳବାୟୁର ଜଳୀୟବାଷ୍ପ ଧାରଣ କ୍ଷମତା ସୀମିତ ଥିଲାବେଳେ ଖରାଦିନର ଗରମ ବାୟୁ ଯଥେଷ୍ଟ...

ଭାରତୀୟ ଅନ୍ତରୀକ୍ଷ କେନ୍ଦ୍ର

ପୃଥିବୀ କକ୍ଷରେ ରହି ଏହାକୁ ପରିକ୍ରମଣ କରୁଥିବା ଏକ କୃତ୍ରିମ ସଂରଚନା ହେଉଛି ଅନ୍ତରୀକ୍ଷ କେନ୍ଦ୍ର। ଏଥିରେ ଅନେକ ଦିନ ପର୍ଯ୍ୟନ୍ତ ରହି ମହାକାଶଚାରୀମାନେ ଗବେଷଣା...

ସେଲିବ୍ରିଟିମାନେ ପିଉଥିବା ବ୍ଲାକ ଓ୍ବାଟରର ଉପକାରିତା କ’ଣ ଜାଣନ୍ତୁ

ନୂଆଦିଲ୍ଲୀ,୧୬।୧୧: ଆମେ ସମସ୍ତେ କଳା ଜଳ ବା ବ୍ଲାକ ଓ୍ବାଟରର ନାମ ଅର୍ଥାତ୍‌ କ୍ଷାରୀୟ ଜଳର ନାମ ଶୁଣିଛୁ । ଆପଣ ପ୍ରାୟ ପ୍ରତ୍ୟେକ ସେଲିବ୍ରିଟି...

କାର୍ତ୍ତିକ ପୂର୍ଣ୍ଣିମାରେ ଅଦ୍ଭୁତ ସଂଯୋଗ: ଏସବୁ ରାଶିର ଭାଗ୍ୟ ଖୋଲିବ,ଅଟକି ଥିବା କାମ… 

ହିନ୍ଦୁ ଧର୍ମରେ ଦେବ ଦୀପାବଳିର ବଡ଼ ମହତ୍ୱ ରହିଛି। ଏହାକୁ କାର୍ତ୍ତିକ ମାସର ପୂର୍ଣ୍ଣିମା ତିଥିରେ ପାଳନ କରାଯାଇଥାଏ। କାର୍ତ୍ତିକ ପୂର୍ଣ୍ଣିମା ରାତିରେ ସମସ୍ତ ଦେବୀଦେବତା...

ଡାଇବେଟିସରୁ ବଞ୍ଚିବାକୁ ଚାହୁଁଥିଲେ, କରନ୍ତୁ ଏହି କାମ, ନଚେତ୍‌…

ନୂଆଦିଲ୍ଲୀ,୧୩।୧୧: ଡାଇବେଟିସ ସମଗ୍ର ବିଶ୍ୱ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ସବୁ ବୟସର ଲୋକମାନେ ଏହି କ୍ରନିକ ରୋଗର ଶିକାର ହେଉଛନ୍ତି। ବ୍ଲଡ ସୁଗାର ଅଧିକ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri