Categories: ବାଣିଜ୍ୟ

ସୁଲଭ ମୂଲ୍ୟରେ କିଡ୍‌ନୀ ସର୍ଜରି

ଭୁବନେଶ୍ୱର,୨୫ା୩: ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ କେୟାର ହସ୍ପିଟାଲରେ କିଡ୍‌ନୀ ପ୍ରତିରୋପଣ ସର୍ଜରି ଆରମ୍ଭ ହୋଇଯାଇଛି। ବିଶେଷକରି ହସ୍ପିଟାଲର ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ଅତ୍ୟାଧୁନିକ ପଦ୍ଧତି ଓ ସୁଲଭ ମୂଲ୍ୟରେ କିଡ୍‌ନୀ ପ୍ରତିରୋପଣ କରାଯାଉଛି। ଏପରିକି ଚଳିତ ମାସଠାରୁ ଆରମ୍ଭ ହୋଇଥିବା କିଡ୍‌ନୀ ପ୍ରତିରୋପଣ ସର୍ଜରିରେ ବର୍ତ୍ତମାନ ସୁଦ୍ଧା ୩ ଜଣ ଗୁରୁତର ରୋଗୀଙ୍କ ସଫଳତାର ସହ କିଡ୍‌ନୀ ପ୍ରତିରୋପଣ କରାଯାଇଛି। ବର୍ତ୍ତମାନ ସେମାନେ ପୂର୍ବଭଳି ଏକ ସାଧାରଣ ଜୀବନ ଅତିବାହିତ କରୁଛନ୍ତି। ଉଲ୍ଲେଖଯୋଗ୍ୟ, କେୟାର ହସ୍ପିଟାଲର ଡା. ବିବେକାନନ୍ଦ ପଣ୍ଡା, ଡା. ଅଶୋକ ପଣ୍ଡା, ଡା. ପି.ଭାମ୍‌ସି କ୍ରିଷ୍ଣା, ଡା. ପ୍ରସାଦ ରାଜୁଙ୍କ ସମେତ ଆନାସ୍ଥେସିଓଲୋଜି ବିଭାଗର ଡା. ରିତେଶ ରାୟ, ଡା. ଗୌରବ ଅଗ୍ରୱାଲ ଏବଂ ଡା. ଅଙ୍କିତା ମୋହତାଙ୍କ ସହଯୋଗରେ ଉକ୍ତ କିଡ୍‌ନୀ ପ୍ରତିରୋପଣ ସଫଳତାର ସହିତ ହୋଇଥିଲା। ଏହି ପରିପ୍ରେକ୍ଷୀରେ କେୟାର ହସ୍ପିଟାଲ ପକ୍ଷରୁ ଶୁକ୍ରବାର ଏକ ଖବରଦାତା ସମ୍ମିଳନୀର ଆୟୋଜନ କରାଯାଇଥିଲା। ଏହି ଅବସରରେ କେୟାର ହସ୍ପିଟାଲର ଏଚ୍‌ସିଓଓ କିଶଲେ ଆନନ୍ଦ କହିଥିଲେ, ଉନ୍ନତ ମାନର ଚିକିତ୍ସା ପାଇଁ କେବଳ ଓଡ଼ିଶାରେ ନୁହେଁ ପୂର୍ବ ଭାରତରେ ମଧ୍ୟ କେୟାର ହସ୍ପିଟାଲର ଏକ ସ୍ବତନ୍ତ୍ର ପରିଚୟ ରହିଛି। ଏଠାରେ ବର୍ତ୍ତମାନ ଓଡ଼ିଶାର ଅଭିଜ୍ଞ ଡାକ୍ତରୀ ଟିମ୍‌ ସାହାଯ୍ୟରେ କିଡ୍‌ନୀ ପ୍ରତିରୋପଣ ସର୍ଜରି ମଧ୍ୟ ଆରମ୍ଭ ହୋଇଛି, ଯାହାକି ସମସ୍ତ କିଡ୍‌ନୀ ରୋଗୀଙ୍କ ପାଇଁ ଏକ ଖୁସି ଖବର।

Share