ପିଲାମାନେ ଅନ୍‌ଲାଇନ୍‌ରେ ଗେମ୍‌ ଖେଳୁଥିଲେ…ଅଭିଭାବକ ଏମିତି ରୁହନ୍ତୁ ସଚେତନ

ବର୍ତ୍ତମାନ ଅଧିକାଂଶ ପିଲା ଅନ୍‌ଲାଇନ୍‌ ଗେମ୍‌ ଖେଳିବା ନିଶାରେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି। ତେଣୁ ପିଲାଙ୍କୁ ଖେଳିବା ଲାଗି ଇଲେକ୍ଟ୍ରୋନିକ ଗ୍ୟାଜେଟ୍‌ ଦେଉଥିବା ଅଭିଭାବକମାନେ ଏଦିଗରେ ସଚେତନ ରହିବା ଆବଶ୍ୟକ…

ସର୍ବପ୍ରଥମେ ପିଲାଙ୍କ ଖେଳିବା ସମୟ ସୀମିତ ରଖନ୍ତୁ। ପିଲା ଖେଳୁଥିବା ଗେମ୍‌ର ରୁଲ୍‌ ଆଣ୍ଡ ରେଗୁଲେଶନ୍‌ ପଢିନିଅନ୍ତୁ। ଅଧିକାଂଶ ପିଲା ସ୍କୋର ବୋର୍ଡ ବଢାଇବା ଲାଗି ଅନ୍‌ଲାଇନ୍‌ରେ ହିଁ ପ୍ରତିଦ୍ୱନ୍ଦ୍ୱୀଙ୍କ ସହ କମ୍ପିଟିଶନ୍‌ କରିଥାନ୍ତି। ପିଲା ଏପରି କରୁଥିଲେ ପ୍ରତିଦ୍ୱନ୍ଦ୍ୱୀଙ୍କ ସମ୍ପର୍କରେ ଜାଣିବାକୁ ଚେଷ୍ଟା କରନ୍ତୁ। ଯଦି କୌଣସି ପ୍ରକାର ସନ୍ଦେହ ଉପୁଜୁଛି ତେବେ ପିଲାଙ୍କୁ ଯଥା ଶୀଘ୍ର ସେଥିରୁ ମୁକୁଳାନ୍ତୁ। ନଚେତ୍‌ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।
ପିଲାମାନେ ମୋବାଇଲ ହେଉ ଅବା ଲାପ୍‌ଟପ୍‌, କମ୍ପ୍ୟୁଟର ଇତ୍ୟାଦିରେ ଯେଉଁ ଗେମ୍‌ ଖେଳୁଛନ୍ତି ତାହା ସେମାନଙ୍କ ସୋସିଆଲ୍‌ ସାଇଟ୍‌ ସହିତ ଲିଙ୍କ୍‌ ଅଛିକି ନାହିଁ ଦେଖନ୍ତୁ। ନଚେତ୍‌ ହ୍ୟାକର୍‌ ପିଲାଙ୍କ ଆକାଉଣ୍ଟ ହ୍ୟାକ୍‌ କରି ବିଭିନ୍ନ ଅସାମାଜିକ କାର୍ଯ୍ୟ କରିବା କିମ୍ବା ପିଲାଙ୍କୁ ଅସୁବିଧାରେ ପକାଇ ପାରନ୍ତି।
ପ୍ୟାରେଣ୍ଟିଙ୍ଗ୍‌ କଣ୍ଟ୍ରୋଲ ଜରିଆରେ ପିଲା ଖେଳୁଥିବା ସିଷ୍ଟମ୍‌ରେ ଏକ ଆକାଉଣ୍ଟ ଖୋଲି ଗେମ୍‌ର ଟାଇମ୍‌ ଲିମିଟ୍‌ ସେଟ୍‌ କରନ୍ତୁ। ଏହାଦ୍ୱାରା ପିଲା ଖେଳିବା ସମୟରେ ନିର୍ଦ୍ଧାରିତ ସମୟ ପୂରା ହେବା ପୂର୍ବରୁ ଏକ ଓ୍ବାର୍ଣ୍ଣିଙ୍ଗ୍‌ ଆସିଥାଏ ଏବଂ କିଛି ସମୟ ମଧ୍ୟରେ ସିଷ୍ଟମ ବନ୍ଦ ହୋଇଯାଇଥାଏ। ଯାହାକି ଆପଣ ଆକାଉଣ୍ଟର ପାସ୍‌ଓ୍ବାର୍ଡ ନ ଦେବା ଯାଏ ଖୋଲି ନ ଥାଏ।