ଆବୁଧାବି, ୨୩।୯: ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଆଇପିଏଲ୍-୧୩ର ୫ମ ମ୍ୟାଚ୍ ବୁଧବାର ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଶେଖ୍ ଜାୟେଦ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ମୁମ୍ବାଇର କିରନ ପୋଲାର୍ଡ ଏକ କିର୍ତ୍ତୀମାନ ଲାଭ କରିଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସର ପ୍ରଥମ ତଥା ଆଇପିଏଲ୍ରେ ମୋଟ୍ ଉପରେ ୧୪ତମ ଖେଳାଳି ଭାବେ ପୋଲାର୍ଡ ୧୫୦ କିମ୍ବା ଏହାଠାରୁ ଊର୍ଦ୍ଧ୍ୱ ମ୍ୟାଚ୍ ଖେଳିବାର ସୌଭାଗ୍ୟ ଲାଭ କରିଛନ୍ତି। ପୋଲାର୍ଡଙ୍କ ପଛକୁ ମୁମ୍ବାଇ ପକ୍ଷରୁ ସର୍ବାଧିକ ମ୍ୟାଚ୍ ରୋହିତ୍ ଶର୍ମା (୧୪୫) ଖେଳିଛନ୍ତି। ୨୦୧୦ରୁ ଏହି ଓ୍ବେଷ୍ଟଇଣ୍ଡିଜ ଅଲ୍ରାଉଣ୍ଡର ମୁମ୍ବାଇ ଇଣ୍ଡିଆନ୍ସ ସହ ଜଡ଼ିତ ରହିଛନ୍ତି। ଗୋଟିଏ ଫ୍ରାଞ୍ଚାଇଜ ପକ୍ଷରୁ ଦେଢ଼ଶହ ଆଇପିଏଲ୍ ମ୍ୟାଚ୍ ଖେଳିବାରେ ପୋଲାର୍ଡ ୪ର୍ଥ ଖେଳାଳି ହେବାର କିର୍ତ୍ତୀମାନ ଲାଭ କରିଛନ୍ତି। ଏହି ତାଲିକାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଅଧିନାୟକ ବିରାଟ କୋହଲି (୧୭୮ ମ୍ୟାଚ୍) ସର୍ବାଗ୍ରେ ରହିଛନ୍ତି। ତାଙ୍କ ପଛକୁ ଚେନ୍ନାଇର ସୁରେଶ ରାଇନା (୧୬୪) ଓ ମହେନ୍ଦ୍ର ସିଂ ଧୋନୀ (୧୬୨) ରହିଛନ୍ତି। ଅପରପକ୍ଷରେ ଆଇପିଏଲ୍ରେ ମୋଟ୍ ଉପରେ ସର୍ବାଧିକ ମ୍ୟାଚ୍ ଖେଳିବାର ରେକର୍ଡ ରାଇନା (୧୯୩ ମ୍ୟାଚ୍)ଙ୍କ ନାମରେ ଲିପିବଦ୍ଧ ରହିଛି।