Categories: ଖେଳ

ଆଇପିଏଲ୍‌ରୁ ସନ୍ନ୍ୟାସ ଘୋଷଣା କଲେ ମୁମ୍ବାଇ ଇଣ୍ଡିଆନ୍ସର କିରନ୍‌ ପୋଲାର୍ଡ: ମିଳିଲା ନୂଆ ଦାୟିତ୍ୱ

ନୂଆଦିଲ୍ଲୀ,୧୫।୧୧: ଆଇପିଏଲ୍‌ରୁ ସନ୍ନ୍ୟାସ ଘୋଷଣା କଲେ ଭେଟେରାନ କ୍ରିକେଟର କିରନ୍‌ ପୋଲାର୍ଡ। ସେ ଦୀର୍ଘ ୧୩ ବର୍ଷ ଧରି ମୁମ୍ବାଇ ଇଣ୍ଡିଆନ୍ସ ସହ ଜଡିତ ଥିଲେ। ହେଲେ ଚଳିତ ବର୍ଷ ମିନି ଅକ୍ସନ ପୂର୍ବରୁ ମୁମ୍ବାଇ ପୋଲାର୍ଡଙ୍କୁ ରିଲିଜ କରି ଦେଇଥିଲା। ଏହାପରେ ସେ ସନ୍ନ୍ୟାସ ନେଇ ଘୋଷଣା କରିଛନ୍ତି। ତେବେ ଅବସର ନେବା ପରେ ପରେ ତାଙ୍କୁ ମୁମ୍ବାଇ ଟିମ୍‌ର ବ୍ୟାଟିଂ କୋଚ୍‌ ଭାବେ ନିଯୁକ୍ତି ଦିଆଯାଇଛି।

ପୋଲାର୍ଡ ନିଜର ସନ୍ନ୍ୟାସକୁ ନେଇ ଟୁଇଟ୍‌ କରି କହିଛନ୍ତି, ଏହା ମୋ ପାଇଁ ସହଜ ନିଷ୍ପତ୍ତି ନ ଥିଲା। ହେଲେ ମୁମ୍ବାଇ ଇଣ୍ଡିଆନ୍ସ ସହ ଚର୍ଚ୍ଚା କରିବା ପରେ ନିଷ୍ପତ୍ତି ନେଇଛି ଯେ ଆଉ ମୁଁ ଆଇପିଏଲ୍‌ ଖେଳିବି ନାହିଁ। ଯଦି ମୁମ୍ବାଇ ସହ ମୁଁ ଖେଳିବି ନାହିଁ ତେବେ ଆଉ କାହା ସହ ତ ବିଲ୍‌କୁଲ ନୁହେଁ। ମୁମ୍ବାଇ ଇଣ୍ଡିଆନ୍ସ ବହୁତ କିଛି ହାସଲ କରିସାରିଛି। ଏବେ ଦଳରେ ପରିବର୍ତ୍ତନର ସମୟ ଆସିଛି। ମୁଁ ମୁମ୍ବାଇର ବ୍ୟାଟିଂ କୋଚ୍‌ ପଦକୁ ସ୍ବୀକାର କରିଛି। ଏହାଛଡ଼ା ମୁମ୍ବାଇ ଏମିରେଟ୍ସ ସହ ସେ ଖେଲୁଥିବା ନଜର ଆସିବେ ବୋଲି କହିଛନ୍ତି।

କହିରଖୁଛୁ ଯେ, ପୋଲାର୍ଡ ଆରମ୍ଭରୁ ମୁମ୍ବାଇ ସହ ଜଡ଼ିତ ଥିଲେ। ୨୦୧୦ରେ ଦିଲ୍ଲୀ ଟିମ୍‌ ବିପକ୍ଷରେ ସେ ଡେବ୍ୟୁ କରିଥିଲେ। ୨୦୨୨ରେ ସେ କୋଲକାତା ଟିମ୍‌ ବିପକ୍ଷରେ ଅନ୍ତିମ ଆଇପିଏଲ୍‌ ମୁକାବିଲା ଖେଳିଥିଲେ। ଏଯାବତ ସେ ୧୮୯ ଆଇପିଏଲ୍‌ ମ୍ୟାଚ୍‌ ଖେଳିଥିବା ବେଳେ ୩୪୧୨ ରନ୍‌ କରିଛନ୍ତି। ଏଥିରେ ୧୬ ଅର୍ଦ୍ଧଶତକ ରହିଥିଲା। ଏହାଛଡ଼ା ସେ ବୋଲିଂରେ ୬୯ ଉଇକେଟ ନେଇଥିଲେ। ଏହି କାରଣରୁ ପୋଲାର୍ଡଙ୍କୁ ଆଇପିଏଲ୍‌ର ଶ୍ରେଷ୍ଠ ଅଲରାଉଣ୍ଡରଙ୍କ ମଧ୍ୟରୁ ଜଣେ ବୋଲି କୁହାଯାଏ। ମୁମ୍ବାଇ ୫ ଥର ଆଇପିଏଲ୍‌ ଟ୍ରଫି ଉଠାଇଥିବା ବେଳେ ପୋଲାର୍ଡ ଏହାର ସଦସ୍ୟ ଥିଲେ।

Share