Categories: ଖେଳ

ମୁମ୍ବାଇ ଇଣ୍ଡିଆନ୍ସ-ପୋଲାର୍ଡଙ୍କ ଚୁକ୍ତି ପଛରେ ରହିଛି ବ୍ରାଭୋଙ୍କ ହାତ

ନୂଆଦିଲ୍ଲୀ,୧୩।୫: ମୁମ୍ବାଇ ଇଣ୍ଡିଆନ୍ସ ୨୦୧୦ରେ ଓ୍ବେଷ୍ଟଇଣ୍ଡିଜ ଅଲରାଉଣ୍ଡର କିରନ ପୋଲାର୍ଡଙ୍କ ସହ ଚୁକ୍ତି କରିଥିଲା। ଏହା ପଛରେ ଥିଲା ଅନ୍ୟତମ ଅଲରାଉଣ୍ଡର ଡ୍ବେନ ବ୍ରାଭୋଙ୍କ ହାତ।

୨୦୦୮ରୁ ୨୦୧୦ ପର୍ଯ୍ୟନ୍ତ ମୁମ୍ବାଇ ଫ୍ରାଞ୍ଚାଇଜ ପାଇଁ ଖେଳିଥିଲେ ବ୍ରାଭୋ। ଏହାପରେ ସେ ସାମିଲ ହୋଇଥିଲେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଦଳରେ। ମୋ ବଦଳରେ ମୁମ୍ବାଇକୁ ଜଣେ ଅଲରାଉଣ୍ଡରଙ୍କ ଆବଶ୍ୟକତା ଥାଏ। ସେମାନେ ମୋତେ ଯୋଗାଯୋଗ କରିବା ପରେ ମୁଁ ପୋଲାର୍ଡଙ୍କ ନାମ ସୁପାରିଶ କରିଥିଲି। କିନ୍ତୁ ସେତେବେଳେ ଅନ୍ୟ କ୍ଲବ ସହ ଜଡ଼ିତ ଥିଲେ ପୋଲାର୍ଡ। ଏଣୁ ମୁଁ ଡ୍ବେନ ସ୍ମିଥଙ୍କ ନାମ ଆଗକୁ କରିଥିଲି ଓ ପରବର୍ତ୍ତୀ ସମୟରେ ସେ ମୋ ସ୍ଥାନରେ ଖେଳିଥିଲେ।

ଏହାର ପର ବର୍ଷ ଚାମ୍ପିୟନ୍ସ ଲିଗ୍‌ ବେଳେ ମୁଁ ମୁମ୍ବାଇ ଦଳର ରବୀନ ସିଂଙ୍କ ସହ ଯୋଗାଯୋଗ କରିଥିଲି। ପୋଲାର୍ଡ ଏଠାରେ ଅଛନ୍ତି। ଟୁର୍ନାମେଣ୍ଟ ଆରମ୍ଭ ହେବା ପୂର୍ବରୁ ତାଙ୍କ ସହ ଚୁକ୍ତି କରିବାକୁ ପ୍ରସ୍ତାବ ଦେଇଥିଲି। ମୁମ୍ବାଇ ପକ୍ଷରୁ ପୋଲାର୍ଡଙ୍କୁ ଦିଆଯାଇଥିଲା ୨ ଲକ୍ଷ ଡଲାରର ଅଫର। ଏହି ଅଫର ପାଇବା ପରେ ପୋଲାର୍ଡ ଚମକି ପଡ଼ିଥିଲେ ବୋଲି କ୍ରିକ୍‌ବଜକୁ ଦେଇଥିବା ଏକ ସାକ୍ଷାତ୍‌କାରରେ ବ୍ରାଭୋ କହିଛନ୍ତି। ସେବେଠାରୁ ପୋଲାର୍ଡ ମୁମ୍ବାଇ ଇଣ୍ଡିଆନ୍ସ ଦଳର ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇ ରହିଛନ୍ତି। ତାଙ୍କ ପ୍ରତିନିଧିତ୍ୱରେ ଦଳ ୫ ଥର ଚାମ୍ପିୟନ ହୋଇପାରିଛି। ସେ ଏମ୍‌ଆଇ ପାଇଁ ୧୫୦ରୁ ଊର୍ଦ୍ଧ୍ୱ ଷ୍ଟ୍ରାଇକରେଟ୍‌ରେ ୩,୧୯୧ ରନ୍‌ କରିବା ସହ ୬୩ ଉଇକେଟ ହାତେଇଛନ୍ତି।

Share