Categories: ଖେଳ

କିଟ୍‌ର ଅମ୍ଳାନଙ୍କ କୃତିତ୍ୱ

ଭୁବନେଶ୍ୱର,୫।୮(ତପନ ସ୍ବାଇଁ): ଚାଇନାର ଚେଙ୍ଗଡୁଠାରେ ଚାଲିଥିବା ଓ୍ବାଲର୍‌ଡ ୟୁନିଭର୍ସିଟି ଗେମ୍ସରେ କିଟ୍‌ ବିଶ୍ୱବିଦ୍ୟାଳୟ ଛାତ୍ର ଅମ୍ଳାନ ବୋରଗୋହେନ ପ୍ରଥମ ଭାରତୀୟ ପୁରୁଷ ଆଥ୍‌ଲେଟ ଭାବେ ଆଥ୍‌ଲେଟିକ୍ସ ଇଭେଣ୍ଟରେ ପଦକ ହାସଲ କରିଛନ୍ତି। ସେ ପୁରୁଷ ୨୦୦ ମିଟର ରେସ୍‌ରେ ବ୍ରୋଞ୍ଜ ପଦକ ପାଇଛନ୍ତି। ସେହିପରି ତାରକା ଆଥଲେଟ୍‌ ଜ୍ୟୋତି ୟାରାଜି ମହିଳା ୧୦୦ ମିଟର ହର୍ଡଲ୍ସରେ ନିଜ ଜାତୀୟ ରେକର୍ଡ ଭାଙ୍ଗିବା ସହ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି।
ଜ୍ୟୋତି ବ୍ୟକ୍ତିଗତ ଶ୍ରେଷ୍ଠ ୧୨.୭୮ ସେକେଣ୍ଡ ସମୟ ନେଇ ନିଜ ନାମରେ ଥିବା ଜାତୀୟ ରେକର୍ଡକୁ ଭାଙ୍ଗିଥିଲେ। ୨୦୨୨ରେ ସେ ୧୨.୮୨ ସେକେଣ୍ଡ ସମୟ ନେଇ ଜାତୀୟ ରେକର୍ଡର ଅଧିକାରିଣୀ ହୋଇଥିଲେ। ଏଥିସହ ସେ ହାଙ୍ଗଝୋଉ ଏସିଆନ ଗେମ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ। ଭିକ୍ଟୋରିଆ ଫର୍ଷ୍ଟର (୧୨.୭୨) ସ୍ବର୍ଣ୍ଣ ଓ ୟାନି ଉ (୧୨.୭୬) ରୌପ୍ୟ ପଦକ ହାସଲ କରିଥିଲେ। ସେହିପରି ଅମ୍ଳାନ ସିଜନ ଶ୍ରେଷ୍ଠ ୨୦.୫୭ ସେକେଣ୍ଡ ସମୟ ନେଇ ଫାଇନାଲ୍ସରେ ପ୍ରବେଶ କରିଥିଲେ। ଏହି ଟାଇମିଂ ଯୋଗୁ ସେ ଏସିଆନ ଗେମ୍ସ ଯୋଗ୍ୟତା ପାଇଥିଲେ। ନିଜ ଟାଇମିଂରେ ଉନ୍ନତି ଆଣି ସେ ଫାଇନାଲ୍ସରେ ୨୦.୫୫ ସେକେଣ୍ଡ ସମୟ ନେଇ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ଦକ୍ଷିଣ ଆଫ୍ରିକାର ସେବୋ ଇସାଡୋରେ ମାସୋସୋ ୨୦.୩୬ ଓ ଜାପାନର ୟୁଦାଇ ନିଶି ୨୦.୪୬ ସେକେଣ୍ଡ ସମୟ ସହ ଯଥାକ୍ରମେ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ପାଇଥିଲେ। ପୂର୍ବରୁ କିଟ୍‌ ବିଶ୍ୱବିଦ୍ୟାଳୟ ଛାତ୍ରୀ ଦୂତୀ ଚାନ୍ଦ ଭାରତର ପ୍ରଥମ ମହିଳା ଆଥଲେଟ୍‌ଭାବେ ଆଥ୍‌ଲେଟିକ୍ସ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଇଟାଲିର ନାପୋଲିରେ ୨୦୧୯ରେ ଅନୁଷ୍ଠିତ ଓ୍ବାଲର୍‌ଡ ୟୁନିଭର୍ସିଟି ଗେମ୍ସରେ ଦୂତୀ ମହିଳା ୧୦୦ ମିଟରରେ ଏହି ସଫଳତା ପାଇଥିଲେ।
ଭାରତର ଆଉ ୨ ଆଥ୍‌ଲେଟ ସାଥ୍ୟା ତାମିଲାରଶନ ଓ ସିନ୍ଧୁଶ୍ରୀ ଗଣେଶ ମହିଳା ପୋଲଭଲ୍ଟ ଫାଇନାଲରେ ପ୍ରବେଶ କରିଥିଲେ। ମାତ୍ର ଫାଇନାଲ୍‌ରେ ସାଥ୍ୟା ୩.୬୦ ମିଟର ସହ ୭ମ ସ୍ଥାନ ପାଇଥିବାବେଳେ ଗଣେଶ ଓହରି ଯାଇଥିଲେ। ପୁରୁଷ ଜାଭେଲିନ ଥ୍ରୋରେ ବିକ୍ରାନ୍ତ ମଲିକ (୭୧.୧୫) ଓ ଅନୁଜ କଲେରା (୬୯.୪୯) ଫାଇନାଲ୍ସରେ ପ୍ରବେଶ କରିଛନ୍ତି। ପୁରୁଷ ହାମର ଥ୍ରୋ ଫାଇନାଲ୍ସରେ ପ୍ରବେଶ କରିଥିଲେ ହେଁ ଅଜୟ କୁମାର ୧୧ଶ ସ୍ଥାନରେ ସନ୍ତୁଷ୍ଟ ରହିଥିଲେ। କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ତଥା ଏମ୍‌ପି ଅଚ୍ୟୁତ ସାମନ୍ତ ଜ୍ୟୋତି ଓ ଅମ୍ଳାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Share