Categories: ଖେଳ

କିଟ୍‌ ଚାମ୍ପିୟନ, ସମ୍ବଲପୁର ରନରଅପ୍‌

ଭୁବନେଶ୍ୱର, ୨୨।୨(ତପନ ସ୍ବାଇଁ)କିଟ୍‌ କ୍ରିକେଟ ଷ୍ଟାଡିୟମରେ ପୂର୍ବାଞ୍ଚଳ ଆନ୍ତଃ ବିଶ୍ୱବିଦ୍ୟାଳୟ କ୍ରିକେଟ (ପୁରୁଷ) ଟୁର୍ନାମେଣ୍ଟ ବୁଧବାର ଶେଷ ହୋଇଛି। ଆସୋସିଏଶନ ଅଫ୍‌ ଇଣ୍ଡିଆନ ୟୁନିଭର୍ସିଟିଜ୍‌ ସହଯୋଗରେ କିଟ୍‌ ଓ ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଏହି ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଥିଲା। ଏଥିରେ କିଟ୍‌ ଚାମ୍ପିୟନ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଦଳ ରନରଅପ୍‌ ହୋଇଛି। ମଗଧ ଓ ୟୁନିଭର୍ସିଟି ଅଫ୍‌ ବର୍ଦ୍ଧମାନକୁ ଯଥାକ୍ରମେ ତୃତୀୟ ଓ ଚତୁର୍ଥ ସ୍ଥାନ ମିଳିଛି। ପ୍ରଥମ ଦୁଇ ସ୍ଥାନରେ ରହିଥିବାରୁ କିଟ୍‌ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଦଳ ସର୍ବଭାରତୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ କ୍ରିକେଟ (ପୁରୁଷ) ଟୁର୍ନାମେଣ୍ଟ ପାଇଁ ଯୋଗ୍ୟତା ଅର୍ଜନ କରିଛି। ଏହି ସମ୍ମାନଜନକ ପ୍ରତିଯୋଗିତା ରାଜସ୍ଥାନର ଶ୍ରୀ ଜଗଦୀଶପ୍ରସାଦ ଝମ୍ବରମାଲ ତିବ୍ରଓ୍ବୋଲା ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବ। ଆସାମର ଗୁଆହାଟୀଠାରେ ବିସିସିଆଇ ଭିଜି ଟ୍ରଫି ମାର୍ଚ୍ଚ ୧୦ରୁ ୧୬ ପର୍ଯ୍ୟନ୍ତ ଆୟୋଜିତ ହେବ। ଏଥିପାଇଁ ପୂର୍ବାଞ୍ଚଳ ବିଶ୍ୱବିଦ୍ୟାଳୟ ଦଳ ଚୟନ ଏହି ଆନ୍ତଃ ବିଶ୍ୱବିଦ୍ୟାଳୟ ଟୁର୍ନାମେଣ୍ଟର ପ୍ରଦର୍ଶନ ଭିତ୍ତିରେ ଅନୁଷ୍ଠିତ ହେବ। କିଟ୍‌ ବିଶ୍ୱବିଦ୍ୟାଳୟ କୁଳପତି ସରଣଜିତ ସିଂ, ରେଜିଷ୍ଟ୍ରାର ଜ୍ଞାନ ରଞ୍ଜନ ମହାନ୍ତି, କ୍ରୀଡ଼ା ମହାନିର୍ଦ୍ଦେଶକ ଗଗନେନ୍ଦୁ ଦାଶ, କ୍ରୀଡ଼ା ନିର୍ଦ୍ଦେଶକ ଲଲାଟେନ୍ଦୁ ମିଶ୍ର, ଏସ୍‌ସିବି ମେଡିକାଲ କଲେଜ କ୍ରୀଡ଼ା ଅଧିକାରୀ ତାରିଣୀ ପ୍ରସାଦ ଦାସ ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ। କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ତଥା ଏମ୍‌ପି ଅଚ୍ୟୁତ ସାମନ୍ତ ଚାମ୍ପିୟନ ଦଳକୁ ଅଭିନନ୍ଦନ ଜଣାଇଛନ୍ତି।

Share