Categories: ଖେଳ

କିଟ୍‌ ଅନ୍ତର୍ଜାତୀୟ ଚେସ୍‌ ମହୋତ୍ସବ ଉଦ୍‌ଘାଟିତ

ଭୁବନେଶ୍ୱର,୧୨।୬ (କ୍ରୀଡ଼ା ପ୍ରତିନିଧି): କିଟ୍‌ ଅନ୍ତର୍ଜାତୀୟ ଚେସ୍‌ ମହୋତ୍ସବର ୧୪ତମ ସଂସ୍କରଣ ରବିବାର କିଟ୍‌ ବିଶ୍ୱବିଦ୍ୟାଳୟସ୍ଥିତ ବିଶ୍ୱନାଥନ୍‌ ଆନନ୍ଦ ଚେସ୍‌ ହଲ୍‌ରେ ଉଦ୍‌ଘାଟିତ ହୋଇଯାଇଛି। ଓଡ଼ିଶା ସରକାର, ଭାରତୀୟ ଚେସ୍‌ ସଂଘ, ଭାରତୀୟ କ୍ରୀଡ଼ା ପ୍ରାଧିକରଣ, ଓଡ଼ିଶା ଚେସ୍‌ ସଂଘ ଓ ଫିଡେ ସହଯୋଗରେ କିଟ୍‌ ଓ କିସ୍‌ ପକ୍ଷରୁ ଏହି ଟୁର୍ନାମେଣ୍ଟ ଆୟୋଜନ କରାଯାଉଛି। ଆସନ୍ତା ୧୮ ପର୍ଯ୍ୟନ୍ତ ୮ ଦିନ ଧରି ଏହି ପ୍ରତିଯୋଗିତା ଚାଲିବ। ଉଦ୍‌ଘାଟନୀ ଉତ୍ସବରେ ଏସୀୟ ଚେସ୍‌ ସଂଘର ଉପସଭାପତି ତଥା ଫିଡେ ପରାମର୍ଶଦାତା ବୋର୍ଡର ଅଧ୍ୟକ୍ଷ ଭରତ ସିଂ ଚୌହାନ, ଭାରତୀୟ ଚେସ୍‌ ସଂଘର କୋଷାଧ୍ୟକ୍ଷ ନରେଶ ଶର୍ମା, ଯୁଗ୍ମ ସମ୍ପାଦକ ରଞ୍ଜନ ମହାନ୍ତି, ଓଡ଼ିଶା ଚେସ୍‌ ସଂଘର ସଭାପତି ଜି.ସି.ମହାପାତ୍ର, ସମ୍ପାଦକ ଦେବବ୍ରତ ଭଟ୍ଟ, ଟୁର୍ନାମେଣ୍ଟ ନିର୍ଦ୍ଦେଶକ ତଥା ଅନ୍ତର୍ଜାତୀୟ ମାଷ୍ଟର (ଆଇଏମ୍‌) ଶେଖର ଚନ୍ଦ୍ର ସାହୁ ଏବଂ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଚେସ୍‌ ମହୋତ୍ସବରେ ଭାରତ ସମେତ ୨୦ଟି ଦେଶରୁ ୧୨୦୦ ଖେଳାଳି ଯୋଗ ଦେଇଛନ୍ତି। ସେମାନଙ୍କ ମଧ୍ୟରେ ୧୪ ଗ୍ରାଣ୍ଡମାଷ୍ଟର ଏବଂ ୫୦ରୁ ଊର୍ଦ୍ଧ୍ୱ ଅନ୍ତର୍ଜାତୀୟ ଟାଇଟଲ୍‌ଧାରୀ ରହିଛନ୍ତି। ପ୍ରତିଯୋଗିତାର ମୋଟ ପୁରସ୍କାର ରାଶି ୩୨ ଲକ୍ଷ ଟଙ୍କା ରଖାଯାଇଛି।
ପ୍ରକାଶ ଯୋଗ୍ୟ ଯେ, କିଟ୍‌ ଅନ୍ତର୍ଜାତୀୟ ଚେସ୍‌ ମହୋତ୍ସବ ଏସିଆର ଶ୍ରେଷ୍ଠ ୪ ଗ୍ରାଣ୍ଡମାଷ୍ଟର ଚେସ୍‌ ଟୁର୍ନାମେଣ୍ଟ ମଧ୍ୟରୁ ଅନ୍ୟତମ। କିଟ୍‌ ଭାରତୀୟ ଚେସ୍‌ ସଂଘ ଦ୍ୱାରା ସ୍ବିକୃତିପ୍ରାପ୍ତ ୟୁନିଟ୍‌ ଭାବେ ପ୍ରଥମ ଥର ପାଇଁ ଏପରି ଏକ ଚେସ୍‌ ଟୁର୍ନାମେଣ୍ଟ ଆୟୋଜନ ଅଧିକାର ପାଇଛି। ୧୪ବର୍ଷ ଧରି କିଟ୍‌ ଅନ୍ତର୍ଜାତୀୟ ଚେସ୍‌ ମହୋତ୍ସବକୁ ପ୍ରମୋଟ କରିଆସୁଛି। ପୂର୍ବରୁ କିଟ୍‌-କିସ୍‌ରେ ୩୦ରୁ ଅଧିକ ଜାତୀୟ ଓ ଅନ୍ତର୍ଜାତୀୟ ଚେସ୍‌ ଟୁର୍ନାମେଣ୍ଟ ଆୟୋଜିତ ହୋଇ ସାରିଛି। ଗ୍ରାମାଞ୍ଚଳରେ ମଧ୍ୟ ଚେସ୍‌ର ପ୍ରଚାର ଓ ପ୍ରସାର ପାଇଁ କିଟ୍‌ ଉଦ୍ୟମ କରି ଆସିଛି।

Share