ଭୁବନେଶ୍ୱର,୨୦।୨(ସତ୍ୟଜିତ୍ ରାଉତ): KIIT University ରେ ବି.ଟେକ୍ ଛାତ୍ରୀ ପ୍ରକ୍ରିତି ଲାମସଲ୍ଙ୍କ ଆତ୍ମହତ୍ୟା ଏବଂ ନେପାଳୀ ଛାତ୍ରୀଛାତ୍ରଙ୍କୁ ବଳପୂର୍ବକ କଲେଜରୁ ବିତାଡ଼ିତ କରି ନିର୍ଯାତନା ଘଟଣାରେ ବିବାଦ ଅଧିକ ଘନେଇବାରେ ଲାଗିଛି। କିଟ୍ କର୍ତ୍ତୃପକ୍ଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ବିଭିନ୍ନ ମହଲରୁ ଦାବି ହେଉଛି। ତେବେ ଏହି ଘଟଣାରେ ଗୁମର ଖୋଲିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠନ ହୋଇଥିବା ୩ ଜଣିଆ ଉଚ୍ଚସ୍ତରୀୟ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ବୁଧବାର ତଦନ୍ତ ଆରମ୍ଭ କରିଛି। ଅପରାହ୍ନରେ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ସଚିବ ଶୁଭା ଶର୍ମା, ଉଚ୍ଚ ଶିକ୍ଷା ବିଭାଗ ସଚିବ ଅରବିନ୍ଦ ଅଗ୍ରୱାଲ କ୍ୟାମ୍ପସ୍ରେ ପହଞ୍ଚତ୍ ଛାତ୍ରୀଛାତ୍ର, ଅଧିକାରୀ ଏବଂ କର୍ମଚାରୀ ପ୍ରମୁଖଙ୍କୁ ପଚରାଉଚରା କରିଛନ୍ତି। ଏଥିସହ ଘଟଣାସ୍ଥଳ ମଧ୍ୟ ପରିଦର୍ଶନ କରି ସ୍ଥିତି ପରଖିବା ସହ ଅଧିକ ଖୋଳତାଡ଼ କରିଛନ୍ତି। ଏହାକୁ ନେଇ ଗଣମାଧ୍ୟମରେ ସତ୍ୟବ୍ରତ କହିଛନ୍ତି, କଲେଜର ବିଭିନ୍ନ ଲୋକ ଓ ପ୍ରଭାବିତ ଛାତ୍ରୀଛାତ୍ରଙ୍କ ସହ ଆଲୋଚନା ହୋଇଛି। ଆମେ କ’ଣ କରିବୁ, ସେଥିପାଇଁ ଘଟଣାସ୍ଥଳ ପରିଦର୍ଶନ କଲୁ। ଏହା ପ୍ରଥମ ପରିଦର୍ଶନ ହୋଇଥିବାବେଳେ ଆଗକୁ ତଦନ୍ତ ଆଗେଇବ। ତଦନ୍ତରୁ ଯେଉଁ ତଥ୍ୟ ସାମ୍ନାକୁ ଆସିବ, ତାକୁ ନେଇ ରାଜ୍ୟ ସରକାରଙ୍କୁ ଏକ ରିପୋର୍ଟ ପ୍ରସ୍ତତ କରି ଦିଆଯିବ ବୋଲି ସଚିବ ସାହୁ କହିଛନ୍ତି। ସେହିପରି ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଟୁଇନ୍ ସିଟି ପୋଲିସ କମିଶନର ଏସ୍. ଦେବଦତ୍ତ ସିଂ ମଧ୍ୟ କ୍ୟାମ୍ପସ୍ରେ ପହଞ୍ଚତ୍ ଅନୁସନ୍ଧାନ କରିଛନ୍ତି। ପୋଲିସ କମିଶନର ସିଂ କହିଛନ୍ତି, କିଟ୍ କ୍ୟାମ୍ପସ୍ ଏବେ ପୋଲିସ ଅନୁଧ୍ୟାନରେ ରହିଛି। ଜବତ ମୋବାଇଲ ଓ ଲାପ୍ଟପ୍କୁ ଷ୍ଟେଟ୍ ଫରେନ୍ସିକ ସାଇନ୍ସ ଲାବୋରେଟୋରି (ଏସ୍ଏଫ୍ଏସ୍ଏଲ୍)କୁ ପଠାଯାଇଛି। ସବୁ ଦିଗକୁ ନେଇ ତଦନ୍ତ ହେଉଛି ବୋଲି ସେ କହିଛନ୍ତି।
KIIT student death ଅପରପକ୍ଷରେ କଲେଜ ମୁଖ୍ୟ ଫାଟକ ସାମ୍ନାରେ ବିଭିନ୍ନ ପ୍ଲାକାର୍ଡ ଧରି ଛାତ୍ରୀଛାତ୍ରମାନେ ଧାରଣା ଜାରି ରଖିଛନ୍ତି। ପୀଡ଼ିତାଙ୍କୁ ନ୍ୟାୟ, ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଏବଂ ସରକାରଙ୍କ ତତ୍ତ୍ୱାବଧାନରେ ଏକ ଷ୍ଟୁଡେଣ୍ଟ କାଉନ୍ସିଲ୍ ଗଠନ କରିବାକୁ ଛାତ୍ରୀଛାତ୍ରମାନେ ଦାବି କରିଛନ୍ତି। ସେହିପରି ନବନିର୍ମାଣ ଯୁବ ଛାତ୍ର ସଂଗଠନ(ଏନ୍ୱାଇସିଏସ୍) ଏବଂ ଅଲ୍ ଇଣ୍ଡିଆ ଷ୍ଟୁଡେଣ୍ଟ ଫେଡେରେଶନ୍ (ଏଆଇଏସ୍ଏଫ୍) ପକ୍ଷରୁ ମଧ୍ୟ କଲେଜ ସାମ୍ନାରେ ଧାରଣା ଦିଆଯାଇଛି। କିଟ୍ ପ୍ରତିଷ୍ଠାତା ତଥା ପୂର୍ବତନ ସାଂସଦ ଅଚ୍ୟୁତ ସାମନ୍ତ ଆନ୍ଦୋଳନସ୍ଥଳରେ ପହଞ୍ଚତ୍ ଏନ୍ୱାଇସିଏସ୍ ରାଜ୍ୟ ସଂଯୋଜକ ଏମ୍.ଡି ମନୱର ଅଲ୍ଲୀଙ୍କ ସହ ଆଲୋଚନା କରିଥିଲେ। ଏହି ସମୟରେ ଗଣମାଧ୍ୟମ ପ୍ରତିନିଧିଙ୍କ ପକ୍ଷରୁ ତାଙ୍କୁ ଏକାଧିକ ପ୍ରଶ୍ନ ପଚରାଯାଇଥିଲା। ହେଲେ ସେ ଉତ୍ତର ନ ଦେଇ ସେଠାରୁ ପଳାଇଯାଇଥିଲେ ବୋଲି ଜଣାପଡିଛି। ଅପରପକ୍ଷରେ ନେପାଳୀ ଛାତ୍ରୀଙ୍କୁ ଦୁର୍ବ୍ୟବହାର ସହ ଧମକ ଦେଇ ହଷ୍ଟେଲରୁ ବିଦା କରିଥିବା ଦୁଇ ମହିଳା ଅଧିକାରୀଙ୍କୁ ପଚରାଉଚରା ପାଇଁ ପୋଲିସ ପକ୍ଷରୁ ନୋଟିସ ହୋଇଥିବା ଜଣାପଡିଛି।