ଭୁବନେଶ୍ୱର, ୨୫ା୨(ସୁନିତ୍ ମିଶ୍ର): ଭୁବନେଶ୍ବର କିଟ୍ ବିଶ୍ୱବିଦ୍ୟାଳୟରେ ଜଣେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ନେପାଳର ମାନବାଧିକାର କମିଶନ ଉଦ୍ବେଗ ପ୍ରକାଶ କରିଛି। ଶୀଘ୍ର ତଦନ୍ତ କରି ନ୍ୟାୟ ପ୍ରଦାନ ପାଇଁ ଭାରତୀୟ ମାନବାଧିକାର କମିଶନକୁ ନେପାଳ ମାନବାଧିକାର କମିଶନ ଚିଠି ଲେଖିଛି। ଛାତ୍ରୀଛାତ୍ରଙ୍କୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ମାଡ଼ମରା ଓ ଦୁର୍ବ୍ୟବହାର ନେଇ କାର୍ଯ୍ୟାନୁଷ୍ଠାନ ନେପାଳ ମାନବାଧିକାର କମିଶନ ଦାବି କରିଛି। ଏହାସହ ନେପାଳର ଛାତ୍ରୀଛାତ୍ରଙ୍କ ପୂର୍ଣ୍ଣ ସୁରକ୍ଷା ସହ ଭୟମୁକ୍ତ ବାତାବରଣ ସୁନିଶ୍ଚିତ କରିବାକୁ ମଧ୍ୟ ଦାବି କରାଯାଇଛି।
ଏହି ଘଟଣାରେ ସମ୍ପୃକ୍ତ ବିଶ୍ୱବିଦ୍ୟାଳୟର ଅଧିକାରୀ ଓ ବ୍ୟକ୍ତିବିଶେଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଚିଠିରେ ଉଲ୍ଲେଖ କରାଯାଇଛି। ପୂର୍ବରୁ କିଟ୍ ଘଟଣାରେ ନେପାଳ ବୈଦେଶିକ ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଫୋନ୍ ଯୋଗେ କଥାହୋଇ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏଥିସହ ଲୋକସେବା ଭବନରେ ନେପାଳ ଦୂତାବାସର ୨ ଜଣ ଅଧିକାରୀ ମଧ୍ୟ ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ। ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ରାଜ୍ୟ ସରକାର ଘଟଣା ଉପରେ ତୀକ୍ଷ୍ଣ ନଜର ରଖିଥିବା ମୁଖ୍ୟମନ୍ତ୍ରୀ ଜଣାଇଛନ୍ତି। ଏହାସହ ନେପାଳ ଦୂତାବାସର ୨ ଅଧିକାରୀ ନବୀନ ରାଜ୍ ଅଧିକାରୀ ଓ ସଞ୍ଜୀବ ଶର୍ମା ଦାସ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ବେଳେ ଏହି ଆଲୋଚନାରେ ମୁଖ୍ୟ ଶାସନ ସଚିବ ଓ ମୁଖ୍ୟମନ୍ତ୍ରୀଙ୍କ ଏସିଏସ୍ ଭାଗ ନେଇଥିଲେ।