Categories: ଖେଳ

ଏଆଇସିଏଫ୍‌ ସଦସ୍ୟ ହେଲା କିଟ୍‌ ୟୁନିଭର୍ସିଟି

ଭୁବନେଶ୍ୱର, ୨୭ା୩ (ସ୍ପୋଟର୍‌ସ ବ୍ୟୁରୋ): ଦେଶ ଏକମାତ୍ର ତଥା ପ୍ରଥମ ଶିକ୍ଷାନୁଷ୍ଠାନ ଭାବେ ସର୍ବଭାରତୀୟ ଚେସ୍‌ ମହାସଂଘ (ଏଆଇସିଏଫ୍‌)ର ସଦସ୍ୟତା ହାସଲ କରିପାରିଛି କିଟ୍‌ ୟୁନିଭର୍ସିଟି। ଗତ ୧୫ବର୍ଷ ହେଲା ଓଡ଼ିଶା ଓ ଭାରତରେ ଚେସ୍‌ ଖେଳର ପ୍ରମୋଟ କରିବାରେ କିଟ୍‌ର ଉଲ୍ଲେଖନୀୟ ଭୂମିକା ରହି ଆସିଛି। ବହୁ ବାର୍ଷିକ ଗ୍ରାଣ୍ଡମାଷ୍ଟର୍ସ ଟୁର୍ନାମେଣ୍ଟ, ଅନ୍ତର୍ଜାତୀୟ ଓ ଜାତୀୟ ଟୁର୍ନାମେଣ୍ଟ ଆୟୋଜନ କରିଛି।

ଏହାଛଡ଼ା ଦୁଇ ଗ୍ରାଣ୍ଡମାଷ୍ଟର ଦେବାଶିଷ ଦାସ ଓ ସ୍ବୟମ୍ସ ମିଶ୍ରଙ୍କ ସମେତ ଅନ୍ୟ କେତେକ ରେଟିଂପ୍ରାପ୍ତ ଖେଳାଳି ସୃଷ୍ଟି କରିବା କ୍ଷେତ୍ରରେ ଓଡ଼ିଶାକୁ ସହାୟତା କରିଛି। ରବିବାର ଏଆଇସିଏଫ୍‌ର କାର୍ଯ୍ୟନିର୍ବାହୀ ପରିଷଦ ବୈଠକ ଏବଂ ପରେ ସ୍ବତନ୍ତ୍ର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ସର୍ବ ସମ୍ମତିକ୍ରମେ ଭୁବନେଶ୍ୱରର କିଟ୍‌ ୟୁନିଭର୍ସିଟିକୁ ଆନୁଷ୍ଠାନିକ ସଦସ୍ୟତା ପ୍ରଦାନ କରାଯାଇଥିଲା।

ଏହାଦ୍ୱାରା କିଟ୍‌ ଏଣିକି ଏଆଇସିଏଫ୍‌ ଅଧୀନରେ ଗ୍ରାଣ୍ଡମାଷ୍ଟର୍ସ ଟୁର୍ନାମେଣ୍ଟ ସମେତ ବିଭିନ୍ନ ଟୁର୍ନାମେଣ୍ଟ ଏବଂ ଚେସ୍‌ ସମ୍ପର୍କିତ ବିଭିନ୍ନ କାର୍ଯ୍ୟକ୍ରମ ସିଧାସଳଖ ଭାବେ ଆୟୋଜନ କରିପାରିବ। ଏହି ପରିପ୍ରେକ୍ଷୀରେ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ପ୍ରଫେସର ଅଚ୍ୟୁତ ସାମନ୍ତ ଫିଡେ ଉପଦେଷ୍ଟାମଣ୍ଡଳୀ ଓ ଉପସଭାପତି ଭରତ ସିଂ ଚୌହାନ, ଏଆଇସିଏଫ୍‌ର ଯୁଗ୍ମ ସମ୍ପାଦକ ରଞ୍ଜନ ମହାନ୍ତି, ସର୍ବଭାରତୀୟ ଚେସ୍‌ ମହାସଂଘ ଏବଂ ଅଲ୍‌ ଓଡ଼ିଶା ଚେସ୍‌ ଫେଡେରେଶନର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି।

 

Share