Categories: ଜାତୀୟ

ମୋ ବିରୋଧରେ ବିଭିନ୍ନ ଅଭିଯୋଗ ନ ଆଣି ମତେ ବରଂ ମାରିଦିଅ, ଭାବପ୍ରବଣ ହୋଇ କହିଲେ ସ୍ବପ୍ନା…

ଥିରୁଭାନନ୍ତପୁରମ୍‌, ୧୨।୬ : କେରଳରେ ସୁନା ଚୋରା ଚାଲାଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ସ୍ବପା୍ନ ସୁରେଶଙ୍କ ଅସୁବିଧା ବଢ଼ିବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ପି ବିଜୟନଙ୍କ ବିରୋଧରେ ନଗଦ ଟଙ୍କା ଦେଣନେଣ ଅଭିଯୋଗ କରିବା ପରେ ସ୍ବପ୍ନା ଏବେ ପୁଣି ସଙ୍କଟରେ ପଡ଼ିଛନ୍ତି। ସ୍ବପ୍ନା ଗଣମାଧ୍ୟମ ଆଗରେ କଥାବାର୍ତ୍ତା କଲାବେଳେ କାନ୍ଦୁଥିବାର ଦେଖିବାକୁ ମିଳିଛି। ମୋତେ କାହିଁକି ଏପରି ଆକ୍ରମଣ କରାଯାଉଛି? ମୋ ଆଖପାଖର ଲୋକଙ୍କୁ ଆଘାତ ଦିଅ ନାହିଁ।

ଦୟାକରି ମୋ ବିରୋଧରେ ଅଭିଯୋଗ ନ ଆଣି ମତେ ବରଂ ମାରିଦିଅ, ଯାହାଫଳରେ କାହାଣୀର ସମାପ୍ତ ହେବ ବୋଲି ସ୍ବପ୍ନା କହିଛନ୍ତି। ସ୍ବପା୍ନ ମୁଖ୍ୟମନ୍ତ୍ରୀଙ୍କ ସ୍ତ୍ରୀ ଏବଂ ଝିଅଙ୍କ ବିରୋଧରେ ନଗଦ ଟଙ୍କା ନେଇଥିବାର ଅଭିଯୋଗ ଆଣିଥିଲେ। ସେବେଠାରୁ ସ୍ବପ୍ନାଙ୍କର ଅସୁବିଧା ବଢ଼ିଚାଲିଛି। କେରଳ ହାଇକୋର୍ଟ ମଧ୍ୟ ତାଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି।

ଗଣମାଧ୍ୟମ ସାମ୍ନାରେ ଭାବପ୍ରବଣ ହୋଇ ସ୍ବପ୍ନା କହିଛନ୍ତି, ମୋର ମାନସିକ ସ୍ଥିତି ଠିକ୍‌ ନାହିଁ,ମୋତେ ମଧ୍ୟ ବଞ୍ଚିବାକୁ ଏକ ସୁଯୋଗ ଦିଅ। ବିନା କାରଣରେ ମୋତେ ଆତଙ୍କବାଦୀ ଭଳି ଟାର୍ଗେଟ କରାଯାଉଛି ଏବଂ ମୋ ବିରୋଧରେ ବିଭିନ୍ନ ଅଭିଯୋଗ ଅଣାଯାଉଛି। ଜଣେ ପରେ ଜଣେ ଆଇନଜୀବୀଙ୍କୁ ବଦଳାଇବା ପାଇଁ ମୋର ପର୍ଯ୍ୟାପ୍ତ ଅର୍ଥ ନାହିଁ।

ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସେ ଗୁରୁତର ଅଭିଯୋଗ ଆଣିଥିଲେ। ସେ କୋର୍ଟଙ୍କୁ କହିଥିଲେ ଯେ କେରଳର ମୁଖ୍ୟମନ୍ତ୍ରୀ ପି ବିଜୟନ ୨୦୧୬ରେ ଦୁବାଇରେ ଥିଲେ। ସ୍ବପ୍ନା ସେତେବେଳେ ତାଙ୍କୁ ନୋଟରେ ଭରପୂର ବ୍ୟାଗ ଦେଇଥିଲେ। ମୁଖ୍ୟମନ୍ତ୍ରୀ ସଂଯୁକ୍ତ ଆରବ ଏମିରେଟ୍ସ ଗସ୍ତରେ ଥିବାବେଳେ ଏହି କାରବାର ୨୦୧୬ରେ ଆରମ୍ଭ ହୋଇଥିଲା। ସେତେବେଳେ ସ୍ବପ୍ନା କନସୁଲେଟରେ ସଚିବ ଥିଲେ। ସେତେବେଳେ ଶିବଶଙ୍କର ପ୍ରଥମେ ସ୍ବପ୍ନାଙ୍କ ସହିତ ଯୋଗାଯୋଗ କରିଥିଲେ। ସେ ସ୍ବପ୍ନାଙ୍କୁ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ତାଙ୍କର ଗୋଟିଏ ବ୍ୟାଗ ନେବାକୁ ଭୁଲି ଯାଇଛନ୍ତି ଏବଂ ତୁରନ୍ତ ଏହାକୁ ଦୁବାଇକୁ ନେବାକୁ ପଡିବ। କନସୁଲେଟରେ କୂଟନୀତିଜ୍ଞଙ୍କ ମାଧ୍ୟମରେ ସ୍ବପ୍ନା ବ୍ୟାଗକୁ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ପଠାଇଥିବା କହିଥିଲେ। ଯେତେବେଳେ ବ୍ୟାଗକୁ କନସୁଲେଟକୁ ଅଣାଯାଇଥିଲା, ସେଥିରେ ଟଙ୍କା ଥିବା ଦେଖିବାକୁ ମିଳିଥିଲା ବୋଲି ସ୍ବପ୍ନା କହିଥିଲେ।

Share