ବସ୍ତା, ୧୩।୨(ଡି.ଏନ.ଏ.): ବାଲେଶ୍ୱର ଜିଲା ବସ୍ତା ଅଞ୍ଚଳରେ ସାମାନ୍ୟ ବାକି ପଇସାକୁ କେନ୍ଦ୍ରକରି ଜଣେ ଯୁବକଙ୍କୁ ହତ୍ୟା ହୋଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତକ ହେଲେ ସଦାନନ୍ଦପୁର ଗ୍ରାମର ଅଜୟ ବାରିକ(୩୦)।
ପୋଲିସ ସୂଚନା ଅନୁଯାୟୀ, ଅଜୟ ଶନିବାର ରାତିରୁ ନିଖୋଜ ଥିଲେ। ସୋମବାର ସକାଳେ ଟିକରପଡ଼ା ଗ୍ରାମର ଅକ୍ଷୟ ଦଳେଇଙ୍କ ଘର ନିକଟ ଅନ୍ୟ ଜଣଙ୍କ ବାଡ଼ିରୁ ଅଜୟଙ୍କ ମୃତଦେହ ପଡିଥିବା ଲୋକେ ଦେଖିଥିଲେ। ଖବରପାଇ ପୋଲିସ ପହଞ୍ଚି ସନ୍ଧାନୀ କୁକୁର ଏବଂ ସାଇଣ୍ଟିଫିକ୍ ଦଳ ସହାୟତାରେ ତଦନ୍ତ ଆରମ୍ଭ କରିଥିଲା। ଅକ୍ଷୟ ଦଳେଇଙ୍କୁ ସନ୍ଦେହରେ ପୋଲିସ ଅଟକ ରଖିଥିବା ବେଳେ ତାଙ୍କ ଘରୁ ଦୁଇଟି ତେଲେଙ୍ଗା କଟୁରୀ ଜବତ କରିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଅଜୟ ମଦ ବ୍ୟବସାୟୀ ଅକ୍ଷୟଙ୍କ ପାଖରୁ ମଦ ପିଇ ପଇସା ବାକି ରଖିଥିଲେ। ବାକି ପଇସାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ହୋଇଥାଇପାରେ। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।