ରୂପସା,୧୪।୪(ବାଞ୍ଛାନିଧି ଦେ)ବାଲେଶ୍ୱର ଜିଲା ସିଂଲା ଥାନା ଅଧୀନ ଗନ୍ଧିଆ ଗାଁ ନିକଟରେ ଥିବା ଏକ ଚିଙ୍ଗୁଡ଼ି ଘେରିରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତକ ହେଲେ ସଦର ଥାନା ପତାଗାଁ ଗ୍ରାମର ଜଗବନ୍ଧୁ ସ୍ବାଇଁ (୨୦)। ପୂର୍ବଶତ୍ରୁତାରୁ ଜଗବନ୍ଧୁଙ୍କୁ ଆକ୍ରମଣ ସହ ଏସିଡ୍ ଢାଳି ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରୁଛି। ଏ ସମ୍ପର୍କରେ ଶନିବାର ପୋଲିସ ଏକ ମାମଲା (ନଂ. ୭୧/୨୪) ରୁଜୁ କରି ମୃତଦେହ ଜବତ କରିଛି। ସନ୍ଧାନୀ କୁକୁର ସହ ସାଇଣ୍ଟିଫିକ ଟିମ୍ ଓ ଥାନାଧିକାରୀ ଭୁବନମୋହନ ସେଠୀ ସଦଳବଳେ ତଦନ୍ତ ଆରମ୍ଭ କରିଛନ୍ତି। ଜଗବନ୍ଧୁ ଗନ୍ଧିଆ ନିକଟରେ ଥିବା ଚିଙ୍ଗୁଡ଼ି ଫାର୍ମରେ କାମ କରୁଥିଲେ। ତାଙ୍କ ସହିତ ତାଙ୍କ ସ୍ତ୍ରୀ ତାରାମଣି ମଧ୍ୟ ଏହି ଫାର୍ମରେ ରହୁଥିଲେ। ଶୁକ୍ରବାର ସନ୍ଧ୍ୟାରେ ସ୍ତ୍ରୀ ତାରାମଣିଙ୍କ ନିକଟରୁ ଗୋଟିଏ ଗାମୁଛା ନେଇ ଜଗବନ୍ଧୁ ଶୌଚ ହେବା ପାଇଁ ଯାଇଥିଲେ। ରାତି ପର୍ଯ୍ୟନ୍ତ ନ ଫେରିବାରୁ ତାରାମଣି ଖୋଜାଖୋଜି କରି ନିରାଶ ହୋଇଥିଲେ। ଶନିବାର ସକାଳେ ତାରାମଣି ଶୌଚ ହେବାକୁ ଯାଇଥିଲେ। ସେଠାରୁ ଫେରିବାବେଳେ ପୂର୍ବାହ୍ନ ୧୧ଟାରେ ସେମାନେ ରହୁଥିବା ଫାର୍ମ ନିକଟରେ ସ୍ବାମୀଙ୍କ ମୃତଦେହ ପଡ଼ିଥିବା ଦେଖିଥିଲେ। ଏ ନେଇ ସେ ଫାର୍ମ ମାଲିକଙ୍କୁ ଖବର ଦେଇଥିଲେ। ସିଂଲା ଥାନା ପୋଲିସ ପହଞ୍ଚତ୍ ଏହା ଏକ ହତ୍ୟାକାଣ୍ଡ ବୋଲି ପ୍ରାରମ୍ଭିକ ତଦନ୍ତରୁ ଜାଣିବାକୁ ପାଇଛି।