ଦୁର୍ଘଟଣା ପରେ ପିଟି ମାରିଦେଲେ

ବାରିପଦା ଅଫିସ/ବାଙ୍ଗିରିପୋଷି,୨୦।୪(ଡି.ଏନ.ଏ.): ଦୁର୍ଘଟଣାରେ ଜଣେ ସ୍କୁଟି ଚାଳକଙ୍କ ମୃତ୍ୟୁକୁ କେନ୍ଦ୍ରକରି ମଙ୍ଗଳବାର ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଞ୍ଚଳରେ ଘଟିଛି ତୁମୁଳକାଣ୍ଡ। ଦୁର୍ଘଟଣା ଘଟାଇ ସ୍କର୍ପିଓ ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ସେଥିରେ ବସିଥିବା କେନ୍ଦୁଝରସ୍ଥିତ ଏକ ମେଗା ଜଳସେଚନ ପ୍ରକଳ୍ପର ଜଣେ କର୍ମଚାରୀଙ୍କୁ ଉତ୍ତ୍ୟକ୍ତ ଲୋକେ ପିଟିପିଟି ମାରି ଦେଇଛନ୍ତି। ଅନ୍ୟ ଜଣେ କର୍ମଚାରୀ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଦୁର୍ଘଟଣା ଓ ହତ୍ୟା ଘଟଣାକୁ ନେଇ ପୋଲିସ ଦୁଇଟି ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।
ସୂଚନା ଅନୁଯାୟୀ, ୪୯ନଂ. ଜାତୀୟ ରାଜପଥର କାତରା ନଦୀ ପୋଲ ଛକରେ ମେଗା ଜଳସେଚନ ପ୍ରକଳ୍ପ କାମରେ ନିୟୋଜିତ ଏକ ଦ୍ରୁତଗାମୀ ସ୍କର୍ପିଓ ଧକ୍କାରେ ସ୍ଥାନୀୟ ଗୋଷାଣୀପାଳ ଗ୍ରାମର ସ୍କୁଟି ଚାଳକ ହରିହର ସେଠୀ(୫୫)ଙ୍କ ମୃତ୍ୟୁ ହୋଇଥିଲା। ଏହାର ପ୍ରତିବାଦରେ ଉତ୍ତ୍ୟକ୍ତ ଲୋକେ ସ୍କର୍ପିଓରେ ବସିଥିବା ଦୁଇ କର୍ମଚାରୀଙ୍କୁ ନିସ୍ତୁକ ମାଡ଼ ମାରି ଆହତ କରିଥିଲେ। ଖବରପାଇ ପୋଲିସ ପହଞ୍ଚିି ଉଭୟଙ୍କୁ ଉଦ୍ଧାର କରି ବାରିପଦା ପିଆର୍‌ଏମ୍‌ ମେଡିକାଲରେ ଭର୍ତ୍ତି କରିଥିଲା। ସେଠାରେ ଜଣେ କର୍ମଚାରୀ କେନ୍ଦୁଝର ଜିଲା ଆନନ୍ଦପୁର ଅଞ୍ଚଳର ସତ୍ୟ ନାରାୟଣ ନନ୍ଦ (୪୫)ଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟ ଜଣେ କର୍ମଚାରୀ ଉତ୍ତରପ୍ରଦେଶର ଫୁଲଚନ୍ଦ୍ର ଶର୍ମାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି। ଦୁର୍ଘଟଣା ପରେ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ମୃତଦେହ ରଖି ୩ ଘଣ୍ଟା ରାସ୍ତା ଅବରୋଧ କରିଥିଲେ। ବାଙ୍ଗିରିପୋଷି ଥାନା ଅଧିକାରୀ ସଞ୍ଜୟ କୁମାର ପରିଡ଼ା ପହଞ୍ଚି ସେମାନଙ୍କୁ ବୁଝାଶୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା। ଅନ୍ୟପକ୍ଷରେ ମେଗା ଜଳସେଚନ ପ୍ରକଳ୍ପ କର୍ମଚାରୀଙ୍କ ହତ୍ୟା ଘଟଣାରେ ସମ୍ପୃକ୍ତ ଲୋକଙ୍କୁ ପୋଲିସ ଖୋଜୁଥିବାରୁ ସ୍ଥାନୀୟ ଗ୍ରାମ ପୁରୁଷଶୂନ୍ୟ ହୋଇପଡ଼ିଥିବା ଦେଖିବାକୁ ମିଳିଛି।