ଗୋଡ଼ାଇ ଗୋଡ଼ାଇ ଦିବ୍ୟାଙ୍ଗ ହରିହରଙ୍କୁ ହତ୍ୟା

ପୁରୀ,୨୦।୮(ଅଜିତ୍‌ କୁମାର ମହାନ୍ତି): ପୁରୀରେ ଶାନ୍ତିଶୃଙ୍ଖଳା ରକ୍ଷା କରିବାରେ ପୋଲିସ ବିଫଳ ହୋଇଛି। ଆପରାଧିକ କାର୍ଯ୍ୟକଳାପ ଉପରେ ପୋଲିସ ନଜର ରଖୁଥିଲେ ମଧ୍ୟ ସହରରେ ଦିନକୁ ଦିନ ଅପରାଧ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି। ସୋମବାର ସନ୍ଧ୍ୟାରେ ଟାଉନ ଥାନା ଅନ୍ତର୍ଗତ ହାଡ଼ଗଡ଼ିଆ ସାହି ରାଧାଗୋବିନ୍ଦ ଲେନ୍‌ଠାରେ ଜଣେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଛି। ହତ୍ୟାର ଶିକାର ହୋଇଥିବା ଦିବ୍ୟାଙ୍ଗ ହେଉଛନ୍ତି ହାଡ଼ଗୋଡ଼ିଆ ସାହି ରାଧାଗୋବିନ୍ଦ ଲେନ୍‌ର ହରିହର ସାହୁ। ଗତ ସପ୍ତାହରେ ଖଜା ବ୍ୟବସାୟକୁ କେନ୍ଦ୍ରକରି ରାଧାଗୋବିନ୍ଦ ଲେନ୍‌ର ଦୀନେଶ କୁମାର ଖୁଣ୍ଟିଆଙ୍କୁ ସଂଘବଦ୍ଧ ଭାବରେ ଆକ୍ରମଣ କରାଯାଇ ହତ୍ୟା କରାଯାଇଥିଲା। ଉକ୍ତ ଘଟଣାରେ ହରିହରଙ୍କ ପୁଅ ସମେତ ୪ଜଣଙ୍କୁ ପୋଲିସ ଗିରଫ କରିଥିଲା। ଏପରି କି ସେହି ହତ୍ୟାକାଣ୍ଡ ପଛରେ ହରିହରଙ୍କ ହାତ ଥିବାନେଇ ମଧ୍ୟ ମୃତ ଦୀନେଶଙ୍କ ପରିବାର ଲୋକ ଅଭିଯୋଗ କରିଥିଲେ। ତେଣୁ ଦୀନେଶଙ୍କ ହତ୍ୟାକାଣ୍ଡ ସହ ହରିହରଙ୍କୁ କରାଯାଇଥିବା ଆକ୍ରମଣର ଲିଙ୍କ୍‌ ରହିଥାଇପାରେ ବୋଲି ପୋଲିସ ଅନୁମାନ କରୁଛି।
ସୋମବାର ସନ୍ଧ୍ୟା ୭ ଟା ୩୦ ମିନିଟ୍‌ରେ ଟାଉନ ଥାନା ଅନ୍ତର୍ଗତ ହାଡଗଡିଆ ସାହି ରାଧାଗୋବିନ୍ଦ ଲେନ୍‌ର ହରିହରଙ୍କୁ କିଛି ଦୁର୍ବୃତ୍ତ ମରଣାନ୍ତ ଆକ୍ରମଣ କରିଥିବା ନେଇ ପୋଲିସକୁ ଖବର ମିଳିଥିଲା। ସଙ୍ଗେସଙ୍ଗେ ପୋଲିସ ଘଟଣାସ୍ଥଳକୁ ଯାଇ ଗୁରୁତର ଆହତ ହରିହରଙ୍କୁ ଉଦ୍ଧାର କରି ଚିିକିତ୍ସା ନିମନ୍ତେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହରିହରଙ୍କୁ କିଏ ଏବଂ କାହିଁକି ହତ୍ୟା କଲେ ପୋଲିସ ତଦନ୍ତ ଆରମ୍ଭ କରିଛି। ତଦନ୍ତ ପରେ କାରଣ ଜଣାପଡ଼ିବ ବୋଲି ସିଟି ଡିଏସ୍‌ପି ପ୍ରଶାନ୍ତ କୁମାର ସାହୁ କହିଛନ୍ତି।