ସମ୍ପତ୍ତି ପାଇଁ ମାରିଦେଲେ:ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ

ବାଲିକୁଦା,୨୭ା୨(ତାପସ ସ୍ବାଇଁ):ଓଗରପୁର ଗାଁରେ ଗତ ସୋମବାର ବିଳମ୍ବିତ ରାତିରେ ଘଟିଥିବା ହତ୍ୟାକାଣ୍ଡ ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ସେ ହେଲେ ମୃତ ମାନିଆ ବିଶ୍ୱାଳଙ୍କ ସଉତୁଣୀର ପୁଅ ବିକ୍ରମ ବିଶ୍ୱାଳ (୩୬) ଓରଫ ବୁଲା। ତାଙ୍କୁ ସାଙ୍ଗରେ ନେଇ ତଦନ୍ତକାରୀ ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ କରିଛନ୍ତି। ଏଥିରେ ଡିଏସ୍‌ପି ରଶ୍ମିରଞ୍ଜନ ସାହୁ, ଥାନାଧିକାରୀ ତଥା ଘଟଣାର ତଦନ୍ତ ଅଧିକାରୀ ପ୍ରିୟବ୍ରତ ରାଉତ, ଏସ୍‌ଆଇ ବ୍ରହ୍ମାନନ୍ଦ ପଣ୍ଡାଙ୍କ ସହ ଅନ୍ୟ ପୋଲିସ କର୍ମଚାରୀମାନେ ସାମିଲ ହୋଇଥିଲେ।
ସମ୍ପତ୍ତି ଲୋଭରୁ ହତ୍ୟାକାଣ୍ଡ ଘଟିଥିଲା ବୋଲି ବାଲିକୁଦା ଥାନାରେ ଆୟୋଜିତ ଖବରଦତା ସମ୍ମିଳନୀ ଜରିଆରେ ଅତିରିକ୍ତ ଏସ୍‌ପି ଅମରେନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି। ତେବେ ତଦନ୍ତ ଜାରି ରହିଥିବାରୁ ଅଧିକ ସୂଚନା ଦେବାକୁ ସେ ମନା କରିଦେଇଥିଲେ। ଅଭିଯୁକ୍ତ ବୁଲା ଚେନ୍ନାଇରେ ରହୁଥିବାରୁ ହତ୍ୟାକାଣ୍ଡରେ ଅନ୍ୟ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ନେଇ ସନ୍ଦେହଜାତ ହୋଇଛି। ଅପରପକ୍ଷେ ବୁଲା ଚେନ୍ନାଇରୁ କିପରି ଓ କେଉଁଥିରେ ଆସିଥିଲେ, ପୁଣି ଚେନ୍ନାଇ କିପରି ଗଲେ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହାଛଡ଼ା ହତ୍ୟାକାଣ୍ଡରେ ବ୍ୟବହୃତ ମାରଣାସ୍ତ୍ର ସମ୍ପର୍କରେ କୌଣସି ତଥ୍ୟ ମିଳିନାହିଁ। ତଦନ୍ତ ପରେ ପରବର୍ତ୍ତୀ ସମୟରେ ଏସବୁ ବିଷୟରେ ସୂଚନା ଦିଆଯିବ ବୋଲି ଅତିରିକ୍ତ ଏସ୍‌ପି ପଣ୍ଡା କହିଛନ୍ତି।
୧୯ ତାରିଖ ବିଳମ୍ବିତ ରାତିରେ କେତେଜଣ ମୁଖାପିନ୍ଧା ଦୁର୍ବୃତ୍ତ ମାନିଆଙ୍କ ଘରେ ପଶି ପ୍ରଥମେ ତାଙ୍କୁ ଆକ୍ରମଣ କରିଥିଲେ। ଫଳରେ ଘଟଣା ସ୍ଥଳରେ ମାନିଆଙ୍କ ମୃତ୍ୟୁ ଘଟିଛି ା ଏହି ସମୟରେ ତାଙ୍କ ପୁଅ ରାକେଶ ଓ ବୋହୂ ଶୁଭଶ୍ରୀ ଅନ୍ୟ ଘରେ ଶୋଇଥିଲେ। ଶବ୍ଦ ଶୁଣି ରାକେଶ ବାହାରକୁ ଆସିବା କ୍ଷଣି ଦୁର୍ବୃତ୍ତମାନେ ତାଙ୍କୁ ଆକ୍ରମଣ କରିଥିଲେ। ସେତେବେଳକୁ ଅଭିଯୁକ୍ତମାନେ ଘରର ବିଜୁଳି ଆଲୁଅକୁ ବନ୍ଦ କରି ଦେଇଥିଲେ। ଜୀବନ ବଞ୍ଚାଇବାକୁ ଯାଇ ରାକେଶ ସେମାନଙ୍କ କବଳରୁ ଖସି ଯାଇ ପାଖ ପଡ଼ୋଶୀଙ୍କ ଗ୍ରୀଲ ବାଡ଼େଇ ଡାକ ପକାଇଥିଲେ। ପାଟିଶୁଣି ପଡ଼ୋଶୀ ଓ ଗାଁ ଲୋକେ ଘଟଣାସ୍ଥଳରେ ପହଞ୍ଚତ୍ବାବେଳକୁ ଦୁର୍ବୃତ୍ତମାନେ ଶୁଭଶ୍ରୀଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରି ପଳାଇ ଯାଇଥିଲେ।