Categories: ଜାତୀୟ

କେନ୍ଦ୍ରମନ୍ତ୍ରୀଙ୍କୁ ଉତ୍ତର ଦେଲେ ୟୁକ୍ରେନରେ ପ୍ରାଣ ହରାଇଥିବା ଛାତ୍ରଙ୍କ ବାପା

ନୂଆଦିଲ୍ଲୀ,୨।୩: ଭାରତୀୟ ଛାତ୍ରୀଛାତ୍ର ପ୍ରତିଦ୍ୱନ୍ଦ୍ୱିତାମୂଳକ ପରୀକ୍ଷାରେ ଫେଲ୍‌ ହେବା ପରେ ପଢ଼ିବାକୁ ବିଦେଶ ଯାଆନ୍ତି। ଏଭଳି ମନ୍ତବ୍ୟ ଦେଇଥିବା କେନ୍ଦ୍ରମନ୍ତ୍ରୀ ପ୍ରହଲାଦ ଯୋଶୀଙ୍କୁ ଉତ୍ତର ଦେଇଛନ୍ତି ୟୁକ୍ରେନର ଖାରକିଭରେ ପ୍ରାଣ ହରାଇଥିବା ଭାରତୀୟ ଛାତ୍ର ନବୀନ ଶେଖରାପ୍ପା ଜ୍ଞାନଗୌଦରଙ୍କ ବାପା।

“୨୧ ବର୍ଷୀୟ ନବୀନ ଜଣେ ବୁଦ୍ଧିମାନ ଛାତ୍ର ଥିଲେ। କିନ୍ତୁ ଭାରତରେ ମେଡିସିନ ଉପରେ ଅଧ୍ୟୟନ କରିବା ପାଇଁ ତାଙ୍କ ପାଖରେ ସମ୍ବଳ ନ ଥିଲା। ଏଣୁ ଅଧ୍ୟୟନ ପାଇଁ ସେ ୟୁକ୍ରେନ ଯାଇଥିଲେ” ବୋଲି ନବୀନଙ୍କ ବାପା ଶେଖରାପ୍ପା ଜ୍ଞାନଗୌଦର କହିଛନ୍ତି।

ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରଲ୍ହାଦ ଯୋଶୀଙ୍କୁ ଭାରତୀୟ ଛାତ୍ରୀଛାତ୍ର କାହିଁକି ୟୁକ୍ରେନରେ ଅଧ୍ୟୟନ କରୁଛନ୍ତି ବୋଲି ପ୍ରଶ୍ନର କରାଯାଇଥିଲା। ଏହାର ଉତ୍ତରରେ “ବିଦେଶରେ ପଢ଼ୁଥିବା ୯୦ ପ୍ରତିଶତ ଛାତ୍ରୀଛାତ୍ର ଭାରତରେ ପରୀକ୍ଷାରେ କ୍ୱାଲିଫାଏ କରିପାରନ୍ତି ନାହିଁ। କିନ୍ତୁ ଏ ବିଷୟରେ ଆଲୋଚନା କରିବା ପାଇଁ ଏହା ଉଚିତ ସମୟ ନୁହେଁ” ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ।

କେନ୍ଦ୍ର ମନ୍ତ୍ରୀଙ୍କ ବୟାନ ଉପରେ ପ୍ରତିକ୍ରିୟା ରଖି ନବୀନଙ୍କ ବାପା କହିଛନ୍ତି, “ଭାରତରେ ମେଡିସିନ ପଢ଼ିବା ପାଇଁ ବଡ଼ ଡୋନେଶନ ଦରକାର। ଏଣୁ ବୁଦ୍ଧିମାନ ଛାତ୍ରୀଛାତ୍ର ବିଦେଶରେ ଅଧ୍ୟୟନ କରନ୍ତି। କର୍ନାଟକ ତୁଳନାରେ ସେଠାରେ ଖୁବ୍‌ କମ୍‌ ଅର୍ଥ ଖର୍ଚ୍ଚ ହୁଏ। ଏଠାରେ କୋଟାରେ ସିଟ୍‌ ପାଇବାକୁ ହେଲେ କୋଟିଏ ଟଙ୍କା ଦେବାକୁ ପଡ଼ୁଛି”।

Share