ବିଦ୍ୟୁତ ତାର ବିଛାଇ ହାତୀକୁ ମାରିଦେଲେ! ବନବିଭାଗ ତଦନ୍ତ ଜାରି

ବାରିପଦା,୧୨।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବେତନଟୀ ରେଞ୍ଜ ଜାମଶୂଳି ଗାଁରେ ଗୁରୁବାର ଭୋର ବିଦ୍ୟୁତ ଆଘାତରେ ଏକ ମାଈହାତୀର ମୃତ୍ୟୁ ଘଟିଛି । ଖବରପାଇ ବନବିଭାଗର କର୍ମଚାରୀମାନେ ପହଂଚି ଘଟଣାର ତଦନ୍ତ କରିବା ସହିତ ଡାକ୍ତରୀ ଦଳ ଶବ ବ୍ୟବଚ୍ଛେଦ କରୁଛନ୍ତି ।

ସୂଚନା ମୁତାବକ ବେତନଟୀ ରେଞ୍ଜ ଅଧୀନ ବଡାମପୁର ସେକ୍ସନ ଇଲାକାରେ ୧୯ଟି ବଣୁଆ ହାତୀ ବିଚରଣ କରୁଥିଲେ । ବେତନଟୀ ବନବିଭାଗ ପକ୍ଷରୁ ରାତି ତମାମ ପେଟ୍ରୋଲିଂ ଚାଲିଥିବା ବେଳେ ଭୋର ସମୟରେ ମୁଖ୍ୟଗୋଠରୁ ଅଲଗାହୋଇ ମାଈହାତୀଟି ଜାମଶୂଳି ଠାରେ ଜନବସତି ମୁହାଁ ହୋଇଥିଲା । ତେବେ ଗାଁ ପାଖରେ ଧାନଚାଷକୁ ସୁରକ୍ଷା ଦେବାକୁ ବିଛାଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମାଈ ହାତୀଟିର ମୃତ୍ୟୁ ଘଟିଛି ।

ରାମ ହେମ୍ବ୍ରମଙ୍କ ଜମି ଉପରେ ମାଈହାତୀର ମୃତଦେହ ପଡିରହିଥିବା ବେଳେ ମୃତ ହାତୀକୁ ଦେଖିବାକୁ ଲୋକଙ୍କ ଗହଳି ଲାଗିଛି । ମୃତ ମାଈହାତୀର ଶୁଣ୍ଢରେ ବିଦ୍ୟୁତତାର ଲାଗିଥିବା ବେଳେ ବନବିଭାଗ ତଦନ୍ତ ଜାରି ରଖିଛି ।

Share