ବନ୍ତ,୧୫।୭(ଡି.ଏନ୍.ଏ.): ଯୌତୁକ ଟଙ୍କା ଦେଇ ନ ପାରିବାରୁ ଶାଶୁଘର ଲୋକେ ମୋ ଝିଅକୁ ମାରିଦେଲେ। ଏଭଳି ଅଭିଯୋଗ ଆଣିଛନ୍ତି ଭଦ୍ରକ ଜିଲା ବନ୍ତ ଥାନା ଅଧୀନ ନିମପଡ଼ା ଗ୍ରାମର ତିଳୋତ୍ତମା ଜେନା। ଅଭିଯୋଗ ପରେ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଯୌତୁକ ନିର୍ଯାତନା ଓ ହତ୍ୟା ମାମଲା (ନଂ.୨୯୭/୨୧) ରୁଜୁ କରିଛି।
ମିଳିଥିବା ସୂଚନା ମୁତାବକ, ଗତ ଶନିବାର ସକାଳେ କେନ୍ଦୁଆପଦା ଫାଣ୍ଡି ଅଧୀନ ଆମ୍ପୋର ଗ୍ରାମର ଲିଙ୍ଗରାଜ ପେରେଇଙ୍କ ସ୍ତ୍ରୀ ମଧୁମିତା(୨୫) ଗାଧୋଉଥିବା ସମୟରେ ଚେତାଶୂନ୍ୟ ହୋଇ ପଡିଯାଇଥିଲେ। ତାଙ୍କୁ ପରିବାର ଲୋକେ ଜିଲା ମୁଖ୍ୟ ହସ୍ପିଟାଲକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେହିସମୟରେ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଏକ ଅପମୃତ୍ୟୁ ମାମଲା (ନଂ.୩୮/୨୧) ରୁଜୁ ହୋଇଥିଲା। ସୋମବାର ମୃତା ମଧୁମିତାଙ୍କ ମା’ ତିଳୋତ୍ତମା କେନ୍ଦୁଆପଦା ଫାଣ୍ଡିରେ ଝିଅକୁ ଯୌତୁକ ପାଇଁ ହତ୍ୟା କରାଯାଇଥିବା ଅଭିଯୋଗ କରିବା ପରେ ପୋଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।