କେନ୍ଦୁଝର,୨୦ା୧ (ସ୍ବ.ପ୍ର.): କେନ୍ଦୁଝର ଜିଲା ଓ ଦୌରାଜଜ ଚିତ୍ତରଞ୍ଜନ ମହାପାତ୍ର ଗୁରୁବାର ଏକ ହତ୍ୟା ମାମଲାର ରାୟ ପ୍ରକାଶ କରିଛନ୍ତି। ହତ୍ୟାକାରୀ ହରିଚନ୍ଦନପୁର ବ୍ଲକ ରେବଣାପଳାସପାଳ ଗ୍ରାମର ବିଦ୍ୟାଧର ନାୟକଙ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶ ସହ ୨୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି।
ଅଭିଯୋଗ ମୁତାବକ, ବିଦ୍ୟାଧର ୨୦୧୮ ଫେବୃୟାରୀ ୧୦ ତାରିଖରେ ସାମାନ୍ୟ ଘଟଣାକୁ ନେଇ ମା’ ମାଳତୀ ନାୟକଙ୍କୁ କାଠ ଫାଳିଆରେ ମାଡ଼ ମାରି ରକ୍ତାକ୍ତ କରି ଦେଇଥିଲେ। ପରଦିନ ତାଙ୍କର ମୃତ୍ୟୁ ହୋଇଥିଲା। ଏହାକୁ ନେଇ ମୃତକଙ୍କ ଭାଇ ସୁରେଶ କୁମାର ନାୟକ ଦୈତାରୀ ଥାନାରେ ଏତଲା ଦେଇଥିଲେ। ଅଭିଯୋଗକୁ ଭିତ୍ତି କରି ପୋଲିସ ଅଭିଯୁକ୍ତଙ୍କ ଗିରଫ କରି କୋର୍ଟ ଚାଲାଣ କରିଥିଲା। ୧୧ ଜଣ ସାକ୍ଷୀଙ୍କ ବୟାନ ଓ ସମସ୍ତ ପ୍ରମାଣକୁ ଭିତ୍ତି କରି ଜିଲା ଦୌରାଜଜ ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ଜରିମାନା ଅନାଦାୟ ଆଉ ଅଧିକ ୧ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ହେବ ବୋଲି ସରକାରୀ ପବ୍ଲିକ ପ୍ରସିକ୍ୟୁଟର ପ୍ରଦୀପ କୁମାର ଦାସ ସୂଚନା ଦେଇଛନ୍ତି।