ନିମାପଡ଼ା,୨।୧୨(ଡି.ଏନ୍.ଏ.): ନିମାପଡ଼ା ଅତିରିକ୍ତ ଜିଲା ଦୌରାଜଜ(ଏଡିଜେ)ଙ୍କ କୋର୍ଟରେ ଗୁୁରୁବାର ଏକ ହତ୍ୟାକାଣ୍ଡ ଘଟଣାର ରାୟ ପ୍ରକାଶ ପାଇଛି। ଦୌରାଜଜ ହତ୍ୟାକାଣ୍ଡରେ ସମ୍ପୃକ୍ତ ଦୋଷୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି।
ଘଟଣା ଅନୁଯାୟୀ, ଗତ ୪।୩।୨୦୧୭ରେ କୋଣାର୍କ ଥାନା ଅନ୍ତର୍ଗତ ନଳକଣ ଗ୍ରାମରେ ଜାଗାବାଡ଼ିକୁ କେନ୍ଦ୍ର କରି ମକରନ୍ଦ ଓଝାଙ୍କୁ ତାଙ୍କ ଦେଢ଼ଶୁର ଓ ଶ୍ୱଶୁର ମିଶି ହତ୍ୟା କରିଥିବା ନେଇ ମକରନ୍ଦଙ୍କ ସ୍ତ୍ରୀ ଥାନାରେ ଅଭିଯୋଗ କରିଥିଲେ। ଏ ନେଇ କୋଣାର୍କ ଥାନାରେ ହୋଇଥିବା ମାମଲା(ନଂ.୨୫/୧୭)ର ବିଚାର କରି ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ନିମାପଡ଼ା ଏଡିଜେ କୋର୍ଟର ବିଚାରପତି ଅତିରିକ୍ତ ଜିଲା ଦୌରାଜଜ ଲୋକନାଥ ସାହୁ ଅଭିଯୁକ୍ତ ଦେଢ଼ଶୁର ଚକ୍ରଧର ଓଝାଙ୍କୁ ଦଫା ନଂ.୩୦୨ରେ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ଓ ୫ ହଜାର ଟଙ୍କା ଜରିମାନା, ଜରିମାନା ଅନାଦେୟ ଅଧିକ ୬ମାସ ସଶ୍ରମ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଏହି ହତ୍ୟାକାଣ୍ଡ ମାମଲାରେ କୋର୍ଟ ପ୍ରମାଣ ଅଭାବରୁ ଅଭିଯୋଗକାରିଣୀଙ୍କ ଶ୍ୱଶୁରଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।