ସ୍ତ୍ରୀହନ୍ତାଙ୍କୁ ଆଜୀବନ କାରାଦଣ୍ଡ

ଝାରସୁଗୁଡ଼ା ଅଫିସ,୮ା୩: ସ୍ତ୍ରୀ ହତ୍ୟା ମାମଲାର ବିଚାର କରି ଝାରସୁଗୁଡ଼ା ଜିଲା ଦୌରାଜଜ୍‌ ସତ୍ୟବ୍ରତ ମିଶ୍ର ଅଭିଯୁକ୍ତ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଅଭିଯୁକ୍ତ ସ୍ବାମୀ ହେଲେ ଝାରସୁଗୁଡ଼ା ସେଲ୍ସଟ୍ୟାକ୍ସ କାର୍ଯ୍ୟାଳୟର ଅବସରପ୍ରାପ୍ତ ପିଅନ ଗୋବିନ୍ଦ ଖାତି। ତାଙ୍କୁ ୩୦୨ ଦଫାରେ ଆଜୀବନ କାରାଦଣ୍ଡ ଓ ୨୦୨ଦଫାରେ ୫ବର୍ଷ ସଶ୍ରମ କାରାଦଣ୍ଡ ସହ ୩ହଜାର ଟଙ୍କା ଜରିମାନା ଦେବା ପାଇଁ ରାୟରେ ପ୍ରକାଶ ପାଇଛି ।

୧୬ଜଣଙ୍କ ସାକ୍ଷ୍ୟ ଓ ପ୍ରମାଣକୁ ଆଧାରକରି ବିଚାରପତି ରାୟ ପ୍ରକାଶ କରିଛନ୍ତି। ଏହି ମାମଲାରେ ସରକାରଙ୍କ ତରଫରୁ ଅତିରିକ୍ତ ପିପି ଗଙ୍ଗାଧର ଗଡ଼ନାୟକ ମାମଲା ପରିଚାଳନା କରୁଥିଲେ। ସୂଚନାଯୋଗ୍ୟ, ୨୦୧୪ ମେ ୨୩ରେ ଗୋବିନ୍ଦ ସ୍ତ୍ରୀ ଲକ୍ଷ୍ମୀ ପ୍ରଧାନଙ୍କୁ ହତ୍ୟାକରି ପ୍ରମାଣ ନଷ୍ଟ ପାଇଁ ବଢ଼େଇମୁଣ୍ଡାର ଏକ ପରିତ୍ୟକ୍ତ ଘରେ ନିଆଁ ଲଗାଇ ମୃତଦେହ ପୋଡ଼ିଦେଇଥିଲେ। ଏହା ଜଣାପଡିବା ପରେ ପୋଲିସ ଝାରସୁଗୁଡ଼ା ଟାଉନ ଥାନା କେସ୍‌ ନଂ.୨୦୮/୧୪ରେ ଏକ ହତ୍ୟା ମାମଲା ରୁଜୁକରି ତଦନ୍ତ ଚଳାଇଥିଲା। ପରେ ପୋଲିସ ଅଭିଯୁକ୍ତ ସ୍ବାମୀଙ୍କୁ ସେତେବେଳେ ଗିରଫ କରି କୋର୍ଟ ଚାଲାଣ କରିଥିଲା।