ମହିଳାଙ୍କୁ ହତ୍ୟା ପରେ ସ୍ବାମୀଙ୍କୁ କିଲରଙ୍କ ଭିଡ଼ିଓ କଲ୍‌

ଭୁବନେଶ୍ୱର,୬।୭(ବ୍ୟୁରୋ): ରାଜଧାନୀର ଏୟାର ଫିଲ୍ଡ ଥାନା ଅନ୍ତର୍ଗତ ଭୀମଟାଙ୍ଗି ଅଞ୍ଚଳରେ ରବିବାର ଜଣେ ମହିଳାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ମହିଳାଙ୍କ ସ୍ବାମୀ ଘରେ ନ ଥିବା ବେଳେ ଘଟିଛି ହତ୍ୟାକାଣ୍ଡ। ଅଭିଯୁକ୍ତ ଜଣକ ମହିଳାଙ୍କ ବେକ କାଟି ହତ୍ୟା କରିବା ସହ ନିଜେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି। ଖବର ପାଇ ଏୟାରଫିଲ୍ଡ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ରକ୍ତ ଜୁଡୁବୁଡୁ ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର କରିଥିବା ବେଳେ ହତ୍ୟା କରିଥିବା ଅଭିଯୁକ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ପଠାଇଛି। ମୃତ ମହିଳା ଜଣକ ଯାଜପୁର ଜିଲାର ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ ଓରଫ ରିଙ୍କି(୨୬)। ହତ୍ୟା କରିଥିବା ଅଭିଯୁକ୍ତ ଜଣକ ହେଲେ ଯାଜପୁର ଜିଲା ବଡ଼ ମଙ୍ଗଳପୁରର ଜଗନ୍ନାଥ ପ୍ରଧାନ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଅଭିଯୁକ୍ତ ଜଗନ୍ନାଥଙ୍କ ସ୍ବାସ୍ଥ୍ୟାବସ୍ତାରେ ଉନ୍ନତି ଘଟିବା ପରେ ତାଙ୍କୁ ପୋଲିସ ପଚରାଉଚରା କରିଥିଲା। ସେ ପୂର୍ବ ତିକ୍ତତାରୁ ମହିଳାଙ୍କୁ ହତ୍ୟା କରିଥିବା ପୋଲିସ ଆଗରେ କହିଛନ୍ତି ବୋଲି ଡିସିପି ଉମାଶଙ୍କର ଦାଶ କହିଛନ୍ତି। ତେବେ ଘଟଣାଟି ସମ୍ବେଦନଶୀଳ ଓ ତଦନ୍ତ ଚାଲୁଥିବାରୁ ମୃତ ମହିଳାଙ୍କର ଅଭିଯୁକ୍ତଙ୍କ ସହ କିଭଳି ସମ୍ପର୍କ ଥିଲା, କେଉଁ କାରଣରୁ ତିକ୍ତତା ସୃଷ୍ଟି ହୋଇଥିଲା ସେ ନେଇ କିଛି କହିବାକୁ ଡିସିପି ମନା କରିଦେଇଥିଲେ। ଏୟାର ଫିଲ୍ଡ ଥାନା ପକ୍ଷରୁ ଏକ ହତ୍ୟା ମାମଲ ରୁଜୁ କରାଯାଇ ଘଟଣାଟିର ଅଧିକ ତଦନ୍ତ କରାଯାଉଛି।

ସୂଚନା ଯୋଗ୍ୟ, ଇର୍ଷାରେ ଜଳୁଥିବା ଜଗନ୍ନାଥ ଏକ ଧାରୁଆ ଛୁରୀରେ ପ୍ରିୟଙ୍କାଙ୍କ ବେକକୁ କାଟି ଅତି ନିର୍ମମ ଭାବେ ହତ୍ୟା କରିଥିଲେ। ପରେ ସେ ମୃତଦେହ ପାଖରେ ବସି ତାଙ୍କ ସ୍ବାମୀ ରାକେଶଙ୍କୁ ହ୍ବାଟସ୍‌ଆପରେ ଭିଡ଼ିଓ କଲ୍‌ କରିଥିଲେ। ରାକେଶ ଅଫିସରେ ଥିବାରୁ କୌଣସି କାରଣରୁ କଲ୍‌ ଉଠାଇ ନ ଥିଲେ। ଫଳରେ ଅଭିଯୁକ୍ତ ଜଗନ୍ନାଥ ପ୍ରିୟଙ୍କାଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହର ଫଟୋ ଉଠାଇ ରାକେଶଙ୍କୁ ପଠାଇଥିଲେ।

Share