Categories: ଜାତୀୟ

ଯୌନ ସମ୍ପର୍କ ନ ରଖିବାରୁ ବାଳିକାଙ୍କୁ ହତ୍ୟା

ଗୁଆହାଟୀ, ୨୨ା୧୦:ଆସାମର ନଅଗାଁ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଯୌନ ସମ୍ପର୍କ ରଖିବା ପାଇଁ ମନାକରିବାରୁ ଜଣେ ୬ ବର୍ଷୀୟା ବାଳିକାଙ୍କୁ ପର୍ନ ଅଭ୍ୟସ୍ତ ୨ ନାବାଳକ ପଥରରେ ଛେଚି ହତ୍ୟା କରିଛନ୍ତି। ୧୧ ବର୍ଷୀୟ ଅଭିଯୁକ୍ତ ଦ୍ୱୟଙ୍କ ସମେତ ୮ ବର୍ଷୀୟ ଆଉ ଜଣେ ନାବାଳକଙ୍କୁ ପୋଲିସ ଗିରଫ କରିଛି। ମୁଖ୍ୟ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କ ମା’ବାପାଙ୍କୁ ମଧ୍ୟ ପୋଲିସ ଥାନାକୁ ନେଇଛି। ଗତ ୧୮ ତାରିଖରେ ଏହି ହତ୍ୟାକାଣ୍ଡ ଘଟିଛି। ଏକ ପଥର କଟା ମିଲ୍‌ରେ ବାଳିକା ଜଣକ ଅଚେତ ଅବସ୍ଥାରେ ମିଳିବା ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବାଳିକା ଜଣକ ୩ ଅଭିଯୁକ୍ତଙ୍କ ପଡୋଶୀ। ଯୌନ ସମ୍ପର୍କ ରଖିବା ପାଇଁ ଜଣେ ଅଭିଯୁକ୍ତ ତାଙ୍କୁ କହିବା ପରେ ନାବାଳିକା ଜଣକ ମନା କରିବା ସହ ଘରେ କହିଦେବାକୁ ଧମକ ଦେଇଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ସେମାନେ ଏକ ପଥରରେ ଛେଚି ନାବାଳିକାଙ୍କୁ ହତ୍ୟା କରିଥିଲେ। ଜଣେ ନାବାଳକ ତାଙ୍କ ବାପାଙ୍କ ଫୋନ୍‌ରେ ଅଶ୍ଳୀଳ ଭିଡିଓ ଦେଖୁଥିଲେ ବୋଲି ବ୍ରାଉଜିଂ ହିଷ୍ଟ୍ରିରୁ ଜଣାପଡ଼ିଛି। ଉଚିତ୍‌ ମାର୍ଗଦର୍ଶନ, ସାମାଜିକ ହେବାକୁ ଶିକ୍ଷା ମିଳିଥିଲେ ଆଜି ୪ ଜୀବନ ସୁରକ୍ଷିତ ରହିଥାନ୍ତା ବୋଲି ନଅଗାଁ ଏସ୍‌ପି ଆନନ୍ଦ ମିଶ୍ର ଟୁଇଟ୍‌ କରିଛନ୍ତି। ଏପରି ଘଟଣା କାହା ସହ ବି ଘଟିପାରେ। ଯଦି ଆଗାମୀ ପିଢ଼ି ସାମାଜିକ ନୈତିକ ମାନଦଣ୍ଡ ବୁଝିବାରେ ବିଫଳ ହୁଅନ୍ତି ତେବେ ଏହା ଆମମାନଙ୍କ ଦାୟିତ୍ୱ ବୋଲି ସେ କହିଛନ୍ତି।

Share