ଦେଡ଼ଶୁରଙ୍କ କୋଦାଳ ଚୋଟରେ ଭାଇବୋହୂ ମୃତ

ଯୋଡ଼ା/ଚମ୍ପୁଆ,୨୮ା୭(ମାନସ ମହାନ୍ତି/ମହେଶ୍ୱର ଦାଶ): କେନ୍ଦୁଝର ଜିଲା ଯୋଡ଼ା ଥାନା ବିଲେଇପଦା ଫାଣ୍ଡି ଅନ୍ତର୍ଗତ କୁଲ୍ଡୁଙ୍ଗ ଗ୍ରାମରେ ଶୁକ୍ରବାର ଏକ ହତ୍ୟାକାଣ୍ଡ ଘଟିଛି। ଜମିରେ ହିଡ଼ କଟାକୁ କେନ୍ଦ୍ରକରି ସମ୍ପର୍କୀୟ ଦେଡ଼ଶୁରଙ୍କ କୋଦାଳ ଚୋଟରେ ଭାଇ ବୋହୂଙ୍କ ମୃତ୍ୟୁ ହୋଇଛି। ମୃତକ ଦେଓଝର ପଞ୍ଚାୟତ ଅଧୀନ କୁଲ୍ଡୁଙ୍ଗ ମହାନ୍ତସାହିର ଦମୟନ୍ତୀ ମହାନ୍ତ(୪୨)। ପୋଲିସ ସୂଚନା ମୁତାବକ, ଉକ୍ତ ଗ୍ରାମର ମହେଶ୍ୱର ମହାନ୍ତ ଓ ମୋତିଲାଲ ମହାନ୍ତ ଦୁହେଁ ସମ୍ପର୍କୀୟ ଭାଇ। ମୋତିଲାଲ ଶାରୀରିକ ଅସୁସ୍ଥ ଥିବା କାରଣରୁ ତାଙ୍କ ସ୍ତ୍ରୀ ଦମୟନ୍ତୀ ବିଲକୁ କାମ କରିବାକୁ ଯାଉଥିଲେ। ତାଙ୍କ ବିଲକୁ ଲାଗି ମହେଶ୍ୱରଙ୍କ ଜମି ରହିଛି। ଶୁକ୍ରବାର ଉଭୟେ ନିଜ ନିଜ ବିଲରେ କାମ କରୁଥିଲେ। ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ଜମିର ହିଡ଼ କଟାକୁ କେନ୍ଦ୍ରକରି ମହେଶ୍ୱର ଓ ଦମୟନ୍ତୀଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ମହେଶ୍ୱର କୋଦାଳରେ ଦମୟନ୍ତୀଙ୍କ ବେକକୁ ଚୋଟ ପକାଇଥିଲେ। ସ୍ଥାନୀୟ ଲୋକେ ରକ୍ତାକ୍ତ ଅବସ୍ଥାରେ ଦମୟନ୍ତୀଙ୍କୁ ଏକ ଖଣି କମ୍ପାନୀର ଆମ୍ବୁଲାନ୍ସ ଯୋଗେ ଚମ୍ପୁଆ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ପରେ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି। ବିଲେଇପଦା ଫାଣ୍ଡି ପୋଲିସ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଥିବା ଫାଣ୍ଡି ଅଧିକାରୀ ସୁରେଶ କୁମାର ସାହୁ ସୂଚନା ଦେଇଛନ୍ତି।