ବଡ଼ଭାଇଙ୍କୁ ହତ୍ୟା କଲା ସାନଭାଇ

ଭବାନୀପାଟଣା,୧।୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅଧୀନ ଯୁଗସାଇପାଟଣା ପଞ୍ଚାୟତ ସିକେରଗୁଡା ଗାଁରେ ରବିବାର ଏକ ଅଭବାନୀୟ ଘଟଣା ଘଟିଛି। ଗୁଣିଗାରେଡି ସନ୍ଦେହ କରି ବଡ଼ଭାଇ ଜଳ ନାଏକଙ୍କୁ ସାନଭାଇ ପରିବେଶ ନାଏକ ଏବଂ ୨ ପୁତୁରା ନକୁଳ, ସହଦେବ ମିଶି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଖବର ପାଇ ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପୋଲିସ ଅଭିଯୁକ୍ତମାନଙ୍କୁ ଥାନାକୁ ଆଣି ପଚାଉଚୁରା କରୁଛି।

ସୂଚନା ଯୋଗ୍ୟ, ଗୁଣିଗାରେଡି ସନ୍ଦେହରେ ପୂର୍ବରୁ ୨ ଭାଇଙ୍କ ମଧ୍ୟରେ ଝଗଡ଼ା ହେଉଥିଲା। ରବିବାର ବଡ଼ ଭାଇ ଜଳ ଚାଷ ଜମିକୁ ଯାଉଥିଲେ। ସେତିକିବେଳେ ସାନ ଭାଇ ପରବେଶ ଓ ତାଙ୍କ ଦୁଇ ପୁଅ ନକୁଳ ଏବଂ ସହଦେବ ମିଶି ଏକ ଧାରୁଆ ଅସ୍ତ୍ରରେ ପଛପଟୁ ତାଙ୍କୁ ଆକ୍ରମଣ କରିଥିଲେ। ସେ ତଳେ ପଡିଯିବା ପରେ ବାପପୁଅ ତିନିଜଣ ମିଶି ତାଙ୍କୁ ହତ୍ୟା କରିଥିଲେ। ଗ୍ରାମବାସୀ ଘଟଣା ସମ୍ପର୍କରେ ଜାଣି ତିନି ବାପପୁଅଙ୍କୁ ଅଟକ ରଖି ସଦର ଥାନା ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚି ସେମାନଙ୍କୁ ଧରି ଥାନାକୁ ନେଇଥିଲା। ଏନେଇ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଛି।

Share