ସୁପାରି ଦେଇ ସାନଭାଇଙ୍କୁ ହତ୍ୟା

ବାଲେଶ୍ୱର (ମାନସ ବିଶ୍ୱାଳ)/ ନୀଳଗିରି(ପ୍ରଶାନ୍ତ ବିଶ୍ୱାଳ), ୧୦ା୨: ପାରିବାରିକ କଳହ, ଜମି ଭାଗବଣ୍ଟା ଓ ଟଙ୍କା ଦେଣନେଣକୁ ନେଇ ସାଇଭାଇଙ୍କୁ ବଡ଼ ଭାଉଜଭାଇ ୧ଲକ୍ଷ ୪୦ହଜାର ଟଙ୍କା ସୁପାରି ଦେଇ ହତ୍ୟା କଲେ। ଏପରି କି ଘଟଣାକୁ ଲୁଚାଇବାକୁ ଦୁର୍ଘଟଣାର ରୂପ ଦେଇ ସାନଭାଇ ଏବଂ ତାଙ୍କ ସାଙ୍ଗଙ୍କ ମୃତଦେହକୁ ପୋଖରୀରେ ଫିଙ୍ଗି ଦେଲେ। ହେଲେ ଘଟଣା ଲୁଚିପାରିଲା ନାହିଁ। ନିଖୋଜର ୩ଦିନ ପରେ ବାଲେଶ୍ୱର ଜିଲା ନୀଳଗିରି ଥାନା ଅନ୍ତର୍ଗତ ମିତ୍ରପୁର ବ୍ଲ୍ୟୁ-ଲେକ୍‌ରୁ ୨ମୃତଦେହକୁ ପୋଲିସ ଉଦ୍ଧାର କରିଛି। ଏହି ଘଟଣାରେ ପୋଲିସ ମୃତକଙ୍କ ଭାଉଜଭାଇ ଏବଂ ୪ଜଣ ସୁପାରିକିଲରଙ୍କୁ ଗିରଫ କରିଛି।
ମିଳିଥିବା ସୂଚନା ଅନୁସାରେ ବାଲେଶ୍ୱର ଜିଲା ନୀଳଗିରି ଥାନା କାଂଶ ଗ୍ରାମର ଦୁଇ ସାଙ୍ଗ ଭବାନୀ ଶଙ୍କର ରାଉତ ଏବଂ ମନୋରଞ୍ଜନ ମହାପାତ୍ର ଗତ ୫ତାରିଖରୁ ନିଖୋଜ ଥିଲେ। ବ୍ଲୁ-ଲେକ୍‌ ନିକଟସ୍ଥ ଜଙ୍ଗଲରେ ୬ ତାରିଖରେ ସ୍ଥାନୀୟ ଲୋକେ ଗୋଟିଏ ମୋଟରସାଇକେଲ, ଗୋଟିଏ ପଟ ଚପଲ ଓ ପଥର ଉପରେ ରକ୍ତଛିଟା ଦେଖି କୌଣସି ଦୁର୍ଘଟଣା ଆଶଙ୍କା କରି ସ୍ଥାନୀୟ ଲୋକେ ନୀଳଗିରି ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚତ୍ ପାରିପାର୍ଶ୍ୱିକ ଅବସ୍ଥା, ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍‌ ଟିମ୍‌ ସହାୟତାରେ ତଦନ୍ତ ଆରମ୍ଭ କରିଥିଲା। କାଂଶ ଅଞ୍ଚଳର ଦୁଇଜଣ ଯୁବକ ନିଖୋଜ ଥିବାବେଳେ ଭବାନୀଙ୍କ ବଡ଼ ଭାଇ ବିଜୟ ନୀଳଗିରି ଥାନାରେ ତାଙ୍କ ଭାଇଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ। ଥାନା ପକ୍ଷରୁ ଏକ ମାମଲା (ନଂ.୩୨/୨୪) ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଥିଲା। ନୀଳଗିରି ଏସ୍‌ଡିପିଓ ସରୋଜ ଉପାଧ୍ୟାୟ, ଆଇଆଇସି ଗୋପାଳ ଚନ୍ଦ୍ର କର୍ଣ୍ଣଙ୍କ ସମେତ ନୀଳଗିରି ଅଗ୍ନିଶମ ବିଭାଗ, ବାଲେଶ୍ୱରରୁ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚତ୍ ତନାଘନା ଆରମ୍ଭ କରିଥିଲେ। ଅଗ୍ନିଶମ କର୍ମଚାରୀମାନେ ଗଭୀର ଜଳରାଶିରେ ସେମାନଙ୍କୁ ଖୋଜି ଭବାନୀ ଏବଂ ମନୋରଞ୍ଜନଙ୍କ ମୃତଦେହ ଉଦ୍ଧାର କରିବାରେ ସଫଳ ହୋଇଥିଲେ। ତଦନ୍ତ ପରେ ସବୁ ଆଶଙ୍କା ଶେଷ ହୋଇଛି। ସମ୍ପତ୍ତି ଲୋଭରେ ଭବାନୀଙ୍କ ବଡ଼ ଭାଇ ଓ ଭାଉଜ ସୁପାରିକିଲର ମାଧ୍ୟମରେ ସାନ ଭାଇଙ୍କୁ ହତ୍ୟା କରିଥିଲେ। ଏପରି କି ଭବାନୀଙ୍କୁ ହତ୍ୟା ସମୟରେ ତାଙ୍କ ସାଙ୍ଗ ମନୋରଞ୍ଜନ ଉପସ୍ଥିତ ଥିବାରୁ ତାଙ୍କୁ ମଧ୍ୟ ତଣ୍ଟିଚିପି ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଛି। ଏହି ଘଟଣାରେ ସମ୍ପୃକ୍ତ ୫ଜଣ ସୁପାରିକିଲରଙ୍କ ମଧ୍ୟରୁ ୪ଜଣ ଓ ଭବାନୀଙ୍କ ବଡ଼ଭାଇ-ଭାଉଜଙ୍କୁ ଗିରଫ କରାଯାଇଥିବା ଏସ୍‌ପି ସାଗରିକା ନାଥ ସୂଚନା ଦେଇଛନ୍ତି।

Share