Categories: ଜାତୀୟ

ଜୈନ ସନ୍ଥଙ୍କୁ ହତ୍ୟା

ବେଲଗାଭି, ୧୦ା୭ : କର୍ନାଟକର ବେଲଗାଭି ଜିଲାରେ ଜଣେ ଜୈନ ସନ୍ଥଙ୍କୁ ହତ୍ୟା କରାଯାଇ ତାଙ୍କ ଶରୀରକୁ ଖଣ୍ଡଖଣ୍ଡ କରି ଏକ ବୋର୍‌ଓ୍ବେଲରେ ଫିଙ୍ଗିଦିଆଯାଇଥିଲା। ଚିକୋଡି ତାଲୁକ୍‌ର ଏକ ବୋର୍‌ଓ୍ବେଲରୁ ମୃତଦେହର ବିଭିନ୍ନ ଅଙ୍ଗ ମିଳିବା ପରେ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା ଏକ ତଦନ୍ତକାରୀ ଟିମ୍‌ ଗଠନ କରି ଘଟଣାର ଉପଯୁକ୍ତ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣାରେ ଏମ୍‌ଏସ୍‌ ଏଜୁକେଶନ ଏକାଡେମୀର ନାରାୟଣ ବାସପ୍ପା ମାଦି ଏବଂ ହାସନ ଦଲାୟଥଙ୍କୁ ଗିରଫ କରାଯାଇଛି। ମୃତ ସନ୍ଥ ଆଚାର୍ଯ୍ୟ ଶ୍ରୀ କାମକୁମାର ନନ୍ଦୀ ମହାରାଜ ୧୫ ବର୍ଷ ହେଲା ନନ୍ଦୀ ପର୍ବତ ଜୈନ ବସାଦିରେ ରହୁଥିଲେ। ଗତ ୬ ତାରିଖରେ ଜୈନ ମୁନି ନିଖୋଜ ହୋଇଯାଇଥିବା ବସାଦିର ପରିଚାଳକ ଥାନାରେ ଏତଲା ଦେଇଥିଲେ। ଦିଗମ୍ବର ସମ୍ପ୍ରଦାୟର ଏହି ସନ୍ଥ ଟଙ୍କା ସୁଧରେ ଲଗାଉଥିଲେ। ସନ୍ଦିଗ୍ଧମାନେ ତାଙ୍କଠାରୁ ଟଙ୍କା କରଜ ନେଇଥିଲେ। ଏହି ଟଙ୍କା ଫେରାଇବାକୁ କହିବାରୁ ସେମାନେ ସନ୍ଥଙ୍କୁ ହତ୍ୟା କରିଥିବା ପୋଲିସ କହିଛି।

Share