ବେଗୁନିଆପଡ଼ା,୪ା୫(ଡି.ଏନ୍.ଏ.): ଗଞ୍ଜାମ ଜିଲା ବେଗୁନିଆପଡ଼ା ଥାନା ଅନ୍ତର୍ଗତ ନୂଆପଲୀ ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଜଣେ ବୃଦ୍ଧଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ସୂଚନା ମିଳିଛି। ମୃତ ବୃଦ୍ଧ ଜଣକ ହେଲେ ନୂଆପଲୀ ଗ୍ରାମର ୮୧ ବର୍ଷୀୟ ଗୁରୁବାରୀ ନାହାକ। ମୃତକଙ୍କ ସ୍ତ୍ରୀ ରଇବାରୀ ଏନେଇ ବେଗୁନିଆପଡ଼ା ଥାନାରେ ଏତଲା ଦେଇଛନ୍ତି।
ସୂଚନାନୁସାରେ, ଆଜି ସକାଳୁ ଗୁରୁବାରିଆ ଗାଁ ଅଙ୍ଗନଓ୍ବାଡ଼ି କେନ୍ଦ୍ର ନିକଟରେ ଥିବା ନିଜ ଜାଗାକୁ କାମ କରିବାକୁ ଯାଇଥିବା ବେଳେ ହଠାତ ସେହି ସ୍ଥାନରେ ତାଙ୍କ ଭଣଜା ଈଶ୍ୱର ପ୍ରଧାନ ପହଞ୍ଚି ଏକ କଟୁରିରେ ବେକକୁ ହାଣି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଗୁରୁବାରିଆଙ୍କୁ ସ୍ଥାନୀୟ ଲୋକେ ସୁମଣ୍ଡଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଖବର ପାଇ ବେଗୁନିଆପଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।