ଯୁବକଙ୍କୁ ଉଲଗ୍ନକରି ହତ୍ୟା

ବାଙ୍କୀ,୧୩ା୪(ଜ୍ଞାନେନ୍ଦ୍ର ମୋହନ ମିଶ୍ର): ବାଙ୍କୀ ଥାନା ଅନ୍ତର୍ଗତ ହରିରାଜପୁର ପଞ୍ଚାୟତ ଅନ୍ତର୍ଗତ ନୂଆସାହିରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଜଣେ ଯୁବକଙ୍କୁ ଉଲଗ୍ନ କରି ଠେଙ୍ଗାରେ ପିଟିବା ସହ ଏକ ଧାରୁଆ ଅସ୍ତ୍ରରେ ହାଣି ଦିଆଯାଇଛି। ତ୍ରିନାଥ ମଣ୍ଡପରେ ଥିବା ଏକ କୋଠଘରୁ ଶୁକ୍ରବାର ସମ୍ପୃକ୍ତ ଯୁବକଙ୍କ ମୃତଦେହ ମିଳିଛି। ସେ ହେଲେ ସ୍ଥାନୀୟ ଅଞ୍ଚଳର ଶୀତଳ ସାହୁ (୪୦)। ଖବରପାଇ ବାଙ୍କୀ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଉକ୍ତ ଘର କବାଟ ଖୋଲିବା ପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଚଟାଣରେ ପଡ଼ିଥିବା ମୃତଦେହକୁ ଜବତ କରିଛି। ମୃତଦେହରେ କୌଣସି ବସ୍ତ୍ର ନ ଥିବାବେଳେ ଶରୀରର ବିଭିନ୍ନ ସ୍ଥାନରେ କ୍ଷତଚିହ୍ନ ରହିଥିଲା। କୌଣସି ବ୍ୟକ୍ତି ଧାରୁଆ ଅସ୍ତ୍ରରେ ତାଙ୍କ ମୁଣ୍ଡ ଏବଂ ବେକକୁ ହାଣି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ପୋଲିସ ମୃତଦେହ ଜବତ ପରେ ବ୍ୟବଚ୍ଛେଦ ପାଇଁ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛି। ଏଥିସହ ଆଇପିସି ଦଫା ୩୦୨, ୩୪ରେ ଏକ ମାମଲା (ନଂ. ୧୨୪/୨୪) ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳରେ କଟକ ଆଡିଶନାଲ ଏସ୍‌ପି ଦେବଦତ୍ତ ବରାଳ ଏବଂ କୃଷ୍ଣପ୍ରସାଦ ପଟ୍ଟନାୟକ ପହଞ୍ଚତ୍ ଅନୁସନ୍ଧାନ କରିଛନ୍ତି। ବାଙ୍କୀ ଥାନା ଅଧିକାରୀ ଶିବ ଚରଣ ବେହେରା ସାଇଣ୍ଟିଫିକ ଟିମ୍‌ ଏବଂ ଡଗ୍‌ ସ୍କ୍ବାଡ୍‌ ସହ ଘଟଣାସ୍ଥଳରେ ପହଞ୍ଚତ୍ ଯାଞ୍ଚ କରିଛନ୍ତି। ଘଟଣାସ୍ଥଳରୁ ଏକ ଠେଙ୍ଗା ଓ ଧାରୁଆ ଅସ୍ତ୍ର ଜବତ କରାଯାଇଛି। ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ହୋଇ ନ ଥିବାବେଳେ ମୃତ ଶୀତଳଙ୍କ ପୁତୁରା ଦୁର୍ଗାମାଧବ ସାହୁ ସନ୍ଧ୍ୟାରେ ଥାନାରେ ଲିଖିତ ଏତଲା ଦେଇଛନ୍ତି। ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ପୋଲିସ କୌଣସି ଅଭିଯୁକ୍ତଙ୍କୁ ଚିହ୍ନଟ କିମ୍ବା ଗିରଫ କରି ନ ଥିଲା। ଶନିବାର ମୃତଦେହ ବ୍ୟବଚ୍ଛେଦ ପରେ ଅଧିକ ତଥ୍ୟ ଜଣାପଡ଼ିବ ବୋଲି ଥାନା ଅଧିକାରୀ ବେହେରା କହିଛନ୍ତି। ପାରିପାର୍ଶ୍ୱିକ ସ୍ଥିତି ଓ ଜବତ ମାରଣାସ୍ତ୍ରରୁ ଏଥିରେ ଏକାଧିକ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା କୁହାଯାଉଛି। ସଂଘବଦ୍ଧ ଭାବେ ଆକ୍ରମଣ ପରେ ଶୀତଳଙ୍କୁ ଉଲଗ୍ନ କରି ନିର୍ଯାତନା ଦିଆଯିବା ସହ ଅତି ନୃଶଂସ ଭାବେ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରି ସେହିଦିଗରେ ତଦନ୍ତକୁ ଆଗକୁ ବଢ଼ାଇଛି।