Categories: ଜାତୀୟ

ସ୍ତ୍ରୀ, ଶାଶୁ, ଶ୍ୱଶୁରଙ୍କୁ ହତ୍ୟା

ଗୁଆହାଟୀ,୨୭।୭: ଆସାମ ଗେଲାଘାଟରୁ ବୁଧବାର ଏକ ଟ୍ରିପଲ ମର୍ଡର ସାମ୍ନାକୁ ଆସିଛି। ନାଜିବୁର ରହମାନ ନାମକ ମେକାନିକାଲ ଇଞ୍ଜିନିୟର ସ୍ତ୍ରୀ ସଂଘମିତ୍ରା ଘୋଷ ଓ ଶାଶୁ, ଶ୍ୱଶୁରଙ୍କୁ ହତ୍ୟା କରିବା ପରେ ୯ ମାସର ଶିଶୁକୁ ନେଇ ଥାନାରେ ଆତ୍ମସମର୍ପଣ କରିଛନ୍ତି। ୨୦୨୦ରେ ନାଜିବୁର ଓ ସଂଘମିତ୍ରାଙ୍କ ମଧ୍ୟରେ ଫେସ୍‌ବୁକ୍‌ ଜରିଆରେ ବନ୍ଧୁତା ହୋଇଥିଲା। କିିଛି ମାସ ଭିତରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ସେହିବର୍ଷ ଅକ୍ଟୋବରରେ ଦୁହେଁ କୋଲକାତା ଯାଇ ସେଠାରେ କୋର୍ଟ ମ୍ୟାରେଜ୍‌ କରିଥିଲେ। ବିବାହର ଗୋଟିଏ ବର୍ଷ ପରେ ସଂଘମିତ୍ରାଙ୍କ ବାପା ସଞ୍ଜୀବ ଘୋଷ ଏବଂ ମା’ ଜୁନୁ ଘୋଷ ତାଙ୍କ ବିରୋଧରେ ଥାନାରେ ଚୋରି ଅଭିଯୋଗ କରିଥିଲେ, ଯେଉଁଥିରେ ସଂଘମିତ୍ରାଙ୍କୁ ପୋଲିସ ଗିରଫ ମଧ୍ୟ କରିଥିଲା। ମାମଲାରେ ଜାମିନ ପାଇ ସଂଘମିତ୍ରା ତାଙ୍କ ବାପ ଘରକୁ ଫେରିଥିଲେ। ୨୦୨୨ ଜାନୁୟାରୀରେ ସଂଘମିତ୍ରା ପୁଣିଥରେ ସ୍ବାମୀ ନାଜିବୁରଙ୍କ ସହ ଚେନ୍ନାଇ ଫେରାର୍‌ ହୋଇଗଲେ। ସେଠାରେ ୫ ମାସ ରହି ଗୋଲାଘାଟ ଫେରିବା ପରେ ସଂଘମିତ୍ରା ଗର୍ଭବତୀ ଥିଲେ।

ପୁଣି କୌଣସି କାରଣରୁ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହେବାରୁ ସଂଘମିତ୍ରା ଗତ ମାର୍ଚ୍ଚରେ ପୁଅକୁ ସାଥିରେ ନେଇ ବାପ ଘରକୁ ଆସିଥିଲେ। ସ୍ବାମୀ ନାଜିବୁର ତାଙ୍କୁ ନିର୍ଯାତନା ଦେଉଥିବା ନେଇ ସେ ଥାନାରେ ଅଭିଯୋଗ କଲେ। ଏହାପରେ ପୋଲିସ ତାଙ୍କୁ ଗିରଫ କଲା। ଗିରଫର ୨୮ ଦିନ ପରେ ସେ ଜାମିନରେ ବାହାରିଲେ। ନାଜିବୁର ପୁଅକୁ ଦେଖିବାକୁ ଦେଉ ନ ଥିଲେ। ଏ ନେଇ ନାଜିବୁରଙ୍କ ଭାଇ ସଂଘମିତ୍ରା ଓ ତାଙ୍କ ପରିବାର ବିରୋଧରେ ଥାନାରେ ଅଭିଯୋଗ କଲେ। ସୋମବାର ଦିନ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହେବା ପରେ ନାଜିବୁର ସ୍ତ୍ରୀ ସଂଘମିତ୍ରା, ଶାଶୁ ଓ ଶ୍ୱଶୁରଙ୍କୁ ହତ୍ୟା କରି ପୁଅକୁ ସାଥିରେ ନେଇ ଫେରାର୍‌ ହୋଇଯାଇଥିଲେ। ଏବେ ସେ ୯ ମାସର ପୁଅ ସହିତ ଆତ୍ମସମର୍ପଣ କରିଛନ୍ତି। ସିଆଇଡି ଟିମ୍‌ ଘଟଣାର ତଦନ୍ତ କରୁଥିବା ଆସାମ ପୋଲିସ ମୁଖ୍ୟ ଜି.ପି. ସିଂ କହିଛନ୍ତି। ଫୋରେନ୍ସିକ୍‌ ଟିମ୍‌ ଘଟଣାର ତଦନ୍ତ ଚଳାଇଛି। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ସଂଘମିତ୍ରାଙ୍କ ପରିବାରକୁ ଭେଟିବା ସହ ହତ୍ୟାକାରୀଙ୍କୁ କଠୋର ଦଣ୍ଡ ପ୍ରଦାନର ପ୍ରତିଶ୍ରୁତି ଦେଇଛନ୍ତି।

Share