ଘରେ ସାପ ଛାଡ଼ି ସ୍ତ୍ରୀ, ଝିଅଙ୍କୁ ହତ୍ୟା

କବିସୂର୍ଯ୍ୟନଗର,୨୪ା୧୧ (କୃପାସିନ୍ଧୁ ସ୍ବାଇଁ): ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ଅଢେଇବର ଗାଁରେ ସାପ କାମୁଡ଼ାରେ ମା’ ଓ ଝିଅଙ୍କ ମୃତ୍ୟୁ ଘଟଣା ଭିନ୍ନମୋଡ଼ ନେଇଛି। ଦେଢ଼ମାସ ପରେ ପୋଲିସ ଘଟଣାର ରହସ୍ୟ ଉନ୍ମୋଚନ କରିଛି। ମୃତ ମହିଳାଙ୍କ ସ୍ବାମୀ ଘରେ ସାପ ଛାଡ଼ି ହତ୍ୟା କରିଥିବା ଜଣାପଡ଼ିଛି। ପୋଲିସ ଗୁରୁବାର ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସୂଚନା ଅନୁଯାୟୀ, ଖଲି ପାତ୍ର ତାଙ୍କ ସାନ ଝିଅ ବାସନ୍ତୀଙ୍କୁ ସେହି ଗ୍ରାମର ନିଜ ଭଣଜା ଗଣେଶ ପାତ୍ରଙ୍କୁ ତିନି ବର୍ଷ ତଳେ ବାହା ଦେଇଥିଲେ। ଦୁଇବର୍ଷ ତଳେ ସେମାନଙ୍କର ଗୋଟିଏ କନ୍ୟାସନ୍ତାନ ଜନ୍ମ ହୋଇଥିଲା, ଯାହାକୁ ନେଇ ବିବାଦ ଉପୁଜିବା ସହ ସେତେବେଳେ ମାମଲା ଥାନାରେ ପହଞ୍ଚିଥିଲା। ପୋଲିସ ମାମଲା ରୁଜୁ କରି ଉଭୟକୁ ବୁଝାଶୁଝା କରି ଛାଡ଼ିଦେଇଥିଲା। ତେବେ ଗତ ଅକ୍ଟୋବର ୬ ତାରିଖ ରାତିରେ ଏକ ନାଗସାପ ମା’ ବାସନ୍ତୀ ଓ ଝିଅ ଦେବସ୍ମିତା(୨)ଙ୍କୁ ଦଂଶନ କରିଥିଲା। ଉଭୟଙ୍କୁ ହିଞ୍ଜିଳିକାଟୁ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିବା ପରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ବଢ଼ାଇଥିଲା। ପୋଲସରା ଅଞ୍ଚଳର ଜଣେ ସାପୁଆଙ୍କଠାରୁ ଗଣେଶ ସେହିଦିନ ୨ ହଜାର ଟଙ୍କାରେ ଏକ ନାଗସାପ କିଣିଥିବା ପୋଲିସ ଜାଣିବାକୁ ପାଇଥିଲା। ସନ୍ଦେହ କରି ପୋଲିସ ଗଣେଶଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ସେ ସତକଥା ସ୍ବୀକାର କରିଥିଲେ। ସେହିଦିନ ମା’ ଝିଅ ରାତିରେ ଖାଇସାରି ଶୋଇଯିବା ପରେ ଗଣେଶ ହାତରେ କପଡ଼ା ଗୁଡ଼ାଇ ସାପଟିକୁ ଆଣି ଘରେ ଛାଡ଼ି ଦେଇଥିଲେ। ସାପଟି ପ୍ରଥମେ ବାସନ୍ତୀ ଓ ପରେ ଦେବସ୍ମିତାଙ୍କୁ ଦଂଶନ କରିଥିଲା ବୋଲି ଗଣେଶ ପୋଲିସ ସମ୍ମୁଖରେ ସ୍ବୀକାର କରିଛନ୍ତି। ଗୁରୁବାର ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଆଇଆଇସି ପ୍ରଭାତ ସାହୁ କହିଛନ୍ତି।