ହନୁମାନ ଜୟନ୍ତୀରେ ପୁଣି ହିଂସାକାଣ୍ଡ: ଯୁବକଙ୍କୁ ହତ୍ୟା, ପୋଡ଼ାଜଳା

ସମ୍ବଲପୁର,୧୪।୪(ବ୍ୟୁରୋ): ସମ୍ବଲପୁର ହନୁମାନ ଜୟନ୍ତୀ ଉପଲକ୍ଷେ ବାଇକ୍‌ ଶୋଭାଯାତ୍ରା ଉପରେ ପଥର ମାଡ ପରେ ପୋଡ଼ାଜଳା ଓ ମରଣାନ୍ତକ ଆକ୍ରମଣ ଘଟଣାକୁ ଇତିମଧ୍ୟରେ ୨ ଦିନ ବିତିଯାଇଛି। ହେଲେ ସହରରେ ଆତଙ୍କ ଓ ଭୟର ବାତାବରଣ ଲାଗି ରହିଛି । ଏନେଇ ଶୁକ୍ରବାର ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା। ରାସ୍ତାଘାଟ ଶୂନ୍‌ଶାନ୍‌ ଥିବା ଦେଖିବାକୁ ମିଲିିଥିଲା। କର୍ଫୁ ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ହେଲେ ଗୁରୁବାର ରାତିରୁ ଶୁକ୍ରବାର ଅପରାହ୍ନ ପର୍ଯ୍ୟନ୍ତ ୧୦ଟି ଦୋକାନ ଭଙ୍ଗାରୁଜା କରିବା ସହ ପୋଡାଜଳା ହୋଇଛି। ଅନ୍ୟପକ୍ଷେ ଶୁକ୍ରବାର ସନ୍ଧ୍ୟାରେ ହୁନମାନ ଜୟନ୍ତୀ ଶୋଭାଯାତ୍ରା ଅବସରରେ ପୁଣି ହିଂସାକାଣ୍ଡ ଘଟିଛି। ଶୋଭାଯାତ୍ରାରେ ସାମିଲ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ବେଳେ ଆଉ ଜଣେ ଆହତ ହୋଇଛନ୍ତି। ମୃତକ ହେଲେ ଟାଉନଥାନା ସାନସିହାରି ଗ୍ରାମର ଚନ୍ଦ୍ରଶେଖର ମିର୍ଦ୍ଧା(୨୫) ଓ ଆହତ ହେଲେ ବିଶ୍ୱଜିତ ଶିଖା(୩୦) । ଦଲେଇପଡ଼ା ମଙ୍ଗଳାମନ୍ଦିର ନିକଟରେ ଏକ ଗୋଷ୍ଠୀ ସଂଘବଦ୍ଧ ଭାବେ ତାଙ୍କୁ ହତ୍ୟା କରିଥିବା ଜଣାପଡିଛି। ଖଣ୍ଡା, ଛୁରିରେ ଗୋଡାଇ ଗୋଡାଇ ତାଙ୍କୁ ହାଣି ହତ୍ୟା କରିଥିବା ସୂଚନା ମିଳିଛି।

ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲେ ମଧ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରିନାହିଁ ବୋଲି ମୃତକଙ୍କ ସାଙ୍ଗମାନେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଗତକାଲି ରାତିରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିଲା। ସେ ଏବେ ବୁର୍ଲାରେ ଚିକିତ୍ସିତ ହେଉଥିବା ଜଣାପଡିଛି । ଅନ୍ୟପଟେ ଏସ୍‌ପି ବାତୁଲା ଗଙ୍ଗାଧର ବିଭିନ୍ନ ସ୍ଥାନକୁ ଯାଇ ଘଟଣାର ତଦନ୍ତ କରିଛନ୍ତି। ଏସ୍‌ପି କହିଛନ୍ତ, ଆଇନ ଶୃଙ୍ଖଳା ପରିସ୍ଥିତି ଧୀରେଧୀରେ ନିୟନ୍ତ୍ରଣକୁ ଆସୁଛି। ବିଭିନ୍ନ ସ୍ଥାନରେ ୪୦ ଫ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଡ୍ରୋନ ଏବଂ ସିସି ଟିଭିରେ ପରିସ୍ଥିତି ଉପରେ ନଜର ରଖାଯାଇଛି ବୋଲି ଏସ୍‌ପି କହିଛନ୍ତି।

Share