ପୁଣି ବାଲାଷ୍ଟିକ୍‌ କ୍ଷେପଣାସ୍ତ୍ର ପରୀକ୍ଷଣ କଲେ କିମ୍‌…

ସିଓଲ୍‌/ଟୋକିଓ, ୩୦।୧ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ୍‌ ଉନ୍‌ ରବିବାର ପୁଣି ଥରେ ବାଲାଷ୍ଟିକ୍‌ କ୍ଷେପଣାସ୍ତ୍ର ପରୀକ୍ଷା କରିଛନ୍ତିି। ଗତ ୪ ବର୍ଷ ମଧ୍ୟରେ ସବୁଠାରୁ ଶକ୍ତିଶାଳୀ କ୍ଷେପଣାସ୍ତ୍ର ପରୀକ୍ଷା କିମ୍‌ କରିଛନ୍ତି। ଆମେରିକାର ସୂଚନା ଅନୁସାରେ ରବିବାର ଦିନ କରାଯାଇଥିବା ଏହି ପରୀକ୍ଷଣ ଚାରି ବର୍ଷ ମଧ୍ୟରେ ସବୁଠାରୁ ମାରାତ୍ମକ କ୍ଷେପଣାସ୍ତ୍ର।

୨୦୨୨ ବର୍ଷର ପ୍ରଥମ ମାସ ଜାନୁଆରୀରେ କିମ୍‌ ଏହାକୁ ମିଶାଇ ଇତିମଧ୍ୟରେ ୭ ଟି କ୍ଷେପଣାସ୍ତ୍ର ପରୀକ୍ଷା କରିଛନ୍ତି। ସେଥିମଧ୍ୟରୁ ଅଧିକାଂଶ କ୍ଷୁଦ୍ର କିମ୍ବା ସ୍ବଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ଥିଲା। କିନ୍ତୁ ଏହି ପରୀକ୍ଷା ଅତ୍ୟନ୍ତ ବିପଜ୍ଜନକ ବୋଲି କୁହାଯାଉଛି । ଆମେରିକା ଏବଂ ଦକ୍ଷିଣ କୋରିଆ ବ୍ୟତିତ ଜାପାନ ମଧ୍ୟ ଏହି ପରୀକ୍ଷଣ ଯୋଗୁ ବିପଦରେ ରହିଛି। ନ୍ୟୁୟର୍କ ଟାଇମ୍ସର ଏକ ବିଶେଷ ରିପୋର୍ଟ ଅନୁଯାୟୀ, ଉତ୍ତର କୋରିଆ ରବିବାର ସକାଳେ ଜଗାଙ୍ଗ ଅଞ୍ଚଳରେ ଏହି ପରୀକ୍ଷା କରିଛି। ଏଠାରୁ ଚାଇନା ଏବଂ ଉତ୍ତର କୋରିଆର ସୀମାର ଦୂରତା କମ୍‌।

ଦକ୍ଷିଣ କୋରିଆର ମିଲିଟାରୀ ଇଣ୍ଟେଲିଜେନ୍ସ ମଧ୍ୟ ଏହି ପରୀକ୍ଷାକୁ ନିଶ୍ଚିତ କରିଛି। ଏହା ପରେ ଆମେରିକା ଏବଂ ଦକ୍ଷିଣ କୋରିଆର ଅଧିକାରୀମାନେ ମଧ୍ୟ ଏନେଇ ଟେଲିଫୋନ ମାଧ୍ୟମରେ କଥା ହୋଇଛନ୍ତ। ଦକ୍ଷିଣ କୋରିଆ କହିଛି ଏହ ପରୀକ୍ଷା ଜାତିସଂଘର ନିର୍ଦ୍ଦେଶାବଳୀ ବିରୁଦ୍ଧରେ ସ୍ପଷ୍ଟ ହୋଇଛି। ଏହି କ୍ଷେପଣାସ୍ତ୍ର ଉତ୍ତର କୋରିଆର ସାମୁଦ୍ରିକ ସୀମାରେ ପକାଯାଇଥିଲା।

୨୦୧୭ ପରଠାରୁ ପ୍ରଥମ ଥର ପାଇଁ ଏଭଳି ବିପଜ୍ଜନକ କ୍ଷେପଣାସ୍ତ୍ର ପରୀକ୍ଷା କରାଯାଇଛି। ଉତ୍ତେଜନା ବୃଦ୍ଧି ପାଉଥିବାରୁ ଉତ୍ତର କୋରିଆ ଏହାକୁ ବନ୍ଦ କରିବା ଉଚିତ୍‌। ଏହା ବିଶ୍ୱ ସମୁଦାୟକୁ ବିପଦରେ ପକାଇବାର ଆଶଙ୍କା ରହିଛି ବୋଲି ଦକ୍ଷିଣ କୋରିଆ କହିଛି।

Share