କିମ୍‌ ପୁଣି କଲେ ବାଲାଷ୍ଟିକ କ୍ଷେପଣାସ୍ତ୍ର ପରୀକ୍ଷଣ…

ପ୍ୟୋଙ୍ଗୟାଙ୍ଗ,୧୮।୧୨ : ଉତ୍ତର କୋରିଆର ଏକ ଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନ ପୁଣି ଥରେ ଦେଶର ପୂର୍ବ ଉପକୂଳରୁ ଏକ ବାଲିଷ୍ଟିକ କ୍ଷେପଣାସ୍ତ୍ର ପରୀକ୍ଷା କରିଛନ୍ତି। ଦକ୍ଷିଣ କୋରିଆ ଏହି ସୂଚନା ଦେଇଛି। ଚଳିତ ବର୍ଷ ବାଲିଷ୍ଟିକ କ୍ଷେପଣାସ୍ତ୍ରର ଉତ୍ତର କୋରିଆର ଏହା ନବମ ପରୀକ୍ଷା। ଗତ ମାସରେ ଉତ୍ତର କୋରିଆ ୨୦ ରୁ ଅଧିକ ସ୍ବଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ନିକ୍ଷେପ କରିଥିଲା। ଚଳିତ ବର୍ଷ କିମ୍‌ ୧୨ରୁ ଅଧିକ ମାରାତ୍ମକ କ୍ଷେପଣାସ୍ତ୍ର ପରୀକ୍ଷା କରିଛନ୍ତି।

ଦକ୍ଷିଣ କୋରିଆ ଏବଂ ଜାପାନର ଅଧିକାରୀମାନେ କହିଛନ୍ତି ଯେ ଉତ୍ତର କୋରିଆ ରବିବାର ଏହାର ପୂର୍ବ ଉପକୂଳରୁ ବାଲିଷ୍ଟିକ କ୍ଷେପଣାସ୍ତ୍ର ନିକ୍ଷେପ କରିଛି। ଦକ୍ଷିଣ କୋରିଆର ସେନା ମୁଖ୍ୟ କହିଛନ୍ତି ଯେ ରବିବାର ସକାଳେ ଏହି କ୍ଷେପଣାସ୍ତ୍ର ପରୀକ୍ଷା କରାଯାଇଛି। ଜାପାନର ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ମଧ୍ୟ ଏହି କ୍ଷେପଣାସ୍ତ୍ର ଉତକ୍ଷେପଣକୁ ନିଶ୍ଚିତ କରିଛି।

ଜାପାନ କହିଛି ଯେ ଉତ୍ତର କୋରିଆର ଏକ ସନ୍ଦେହଜନକ କ୍ଷେପଣାସ୍ତ୍ର ଜାପାନ ଏବଂ କୋରିଆ ଉପଦ୍ୱୀପ ମଧ୍ୟରେ ସମୁଦ୍ରରେ ପଡ଼ିଛି। ତେବେ ଜାପାନ ଉପକୂଳରୁ ଏହି କ୍ଷେପଣାସ୍ତ୍ର କେତେ ଦୂରରେ ପଡ଼ିଛି ତାହା ସୂଚନା ଦିଆଯାଇ ନାହିଁ। ଜାପାନର ଗଣମାଧ୍ୟମ ସରକାରୀ ସୂତ୍ରରୁ ପ୍ରକାଶ ଯେ ଏହି କ୍ଷେପଣାସ୍ତ୍ର ଜାପାନର ସ୍ବତନ୍ତ୍ର ଅର୍ଥନୈତିକ ଅଞ୍ଚଳ ବାହାରେ ସମୁଦ୍ରରେ ପଡ଼ିଛି।

ଏହାପୂର୍ବରୁ ନଭେମ୍ବର ୧୮ ରେ ଉତ୍ତର କୋରିଆ ଏକ ଆନ୍ତଃଦେଶୀୟ ବାଲିଷ୍ଟିକ କ୍ଷେପଣାସ୍ତ୍ର (ଆଇସିବିଏମ) ପରୀକ୍ଷା କରିଥିଲା। ଆମେରିକା ଏବଂ ଜାପାନ ଏହାକୁ ଆଞ୍ଚଳିକ ସ୍ଥିରତା ପାଇଁ ବିପଦ ବୋଲି କହିଛନ୍ତି ଏବଂ ଉତ୍ତର କୋରିଆର ବେଆଇନ ଅସ୍ତ୍ରଶସ୍ତ୍ର ବିକାଶ କାର୍ଯ୍ୟକ୍ରମ ଏବଂ ବାଲିଷ୍ଟିକ କ୍ଷେପଣାସ୍ତ୍ର ପରୀକ୍ଷା ବନ୍ଦ କରିବାକୁ ଦାବି କରିଛନ୍ତି। ଏଥି ସହିତ ଉତ୍ତର କୋରିଆ କହିଛି ଯେ ଆମେରିକା ଏବଂ ଏହାର ସହଯୋଗୀ ରାଷ୍ଟ୍ରଙ୍କ ଉତ୍ତେଜନାକୁ ଦୃଷ୍ଟିରେ ରଖି ଏଭଳି କ୍ଷେପଣାସ୍ତ୍ର ପରୀକ୍ଷା କରାଯାଉଛି।

 

Share