ଦକ୍ଷିଣ କୋରିଆ ନିକଟରେ କ୍ଷେପଣାସ୍ତ୍ର ପକାଇଲେ କିମ୍‌…

ପ୍ୟୋଙ୍ଗୟାଙ୍ଗ/ସିଓଲ,୨।୧୧: ଉତ୍ତର କୋରିଆ ପୁଣି ଦକ୍ଷିଣ କୋରିଆ ଆଡକୁ ବୁଧବାର କ୍ଷେପଣାସ୍ତ୍ର ନିକ୍ଷେପ କରିଛି। ଏହାକୁ ଦୃଷ୍ଟିରେ ରଖି ଦୁଇ ପଡୋଶୀ ଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି। ଦକ୍ଷିଣ କୋରିଆ ରାଷ୍ଟ୍ରପତି ଇନ ସୁକ ୟୋଲ ଜାତୀୟ ସୁରକ୍ଷା ପରିଷଦର ଏକ ବୈଠକ ଡାକିଛନ୍ତି। କ୍ଷେପଣାସ୍ତ୍ର ପଡ଼ିଥିବା ସେ ଉଲୁଙ୍ଗଡୋ ଦ୍ୱୀପର ଲୋକଙ୍କୁ ବଙ୍କରକୁ ଯିବାକୁ ଏବଂ ତୁରନ୍ତ ସେନାକୁ ଏହାର ଠିକଣା ଜବାବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଦକ୍ଷିଣ କୋରିଆର ସୈନ୍ୟବାହିନୀ ଉତ୍ତର କୋରିଆର ଏହି କ୍ଷେପଣାସ୍ତ୍ର ଆକ୍ରମଣକୁ ନିକଟ ଅତୀତର ସବୁଠାରୁ ଆକ୍ରମଣାତ୍ମକ ତଥା ଉତ୍ତେଜକ ବୋଲି ବର୍ଣ୍ଣନା କରିଛନ୍ତି।

ସାମୁଦ୍ରିକ ସୀମା ଏବଂ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ ଦୁଇ ଦେଶ ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଛି। ବିବାଦୀୟ ଅଞ୍ଚଳରେ ଏକ ବାଲିଷ୍ଟିକ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଛି।

ଉତ୍ତର କୋରିଆର ସାମରିକ ଶାସକ କିମ ଜୋଙ୍ଗ ଉନଙ୍କ ନିର୍ଦ୍ଦେଶରେ ବାଲିଷ୍ଟିକ କ୍ଷେପଣାସ୍ତ୍ର ସମେତ ୧୦ ଟି କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଛି। ଦକ୍ଷିଣ କୋରିଆ ସୈନ୍ୟବାହିନୀ କହିଛନ୍ତି ଯେ ପ୍ରଥମ ଥର ପାଇଁ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆମ ସମୁଦ୍ର ଅଞ୍ଚଳ ନିକଟରେ ପଡିଛି। ଦକ୍ଷିଣ କୋରିଆର ଜଏଣ୍ଟ ଚିଫ୍‌ ଅଫ୍‌ ଷ୍ଟାଫ୍‌ କହିଛନ୍ତି ଯେ ଉଲୁଙ୍ଗଡୋ ଦ୍ୱୀପରେ ଏୟାର ଷ୍ଟ୍ରାଇକ ଚେତାବନୀ ଦିଆଯାଇଛି। ସେ କହିଛନ୍ତି ଯେ ଆମ ରାଷ୍ଟ୍ରପତି ଉତ୍ତର କୋରିଆକୁ ତୁରନ୍ତ ଜବାବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଜଏଣ୍ଟ ଚିଫ୍‌ ଅଫ୍‌ ଷ୍ଟାଫ୍‌ ନିର୍ଦ୍ଦେଶକ କାଙ୍ଗ ସଚିନ-ଚୁଲ କହିଛନ୍ତି ଯେ ଉତ୍ତର କୋରିଆର କ୍ଷେପଣାସ୍ତ୍ର ଉତକ୍ଷେପଣ ବେଆଇନ ଏବଂ ଏହା ଗ୍ରହଣୀୟ ନୁହେଁ। କୋରିଆ ବିଭାଜନ ପରେ ଏହା ପ୍ରଥମ ଥର ପାଇଁ ଉତ୍ତର ସୀମା ଲାଇନର ଦକ୍ଷିଣ କୋରିଆ ଜଳ ନିକଟରେ ଏଭଳି କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଛି। ସେ କହିଛନ୍ତି ଉତ୍ତର କୋରିଆ ପୂର୍ବ ସାଗର ଆଡକୁ ତିନୋଟି ସ୍ବଳ୍ପ ଦୂରଗାମୀ ବାଲିଷ୍ଟିକ କ୍ଷେପଣାସ୍ତ୍ର ନିକ୍ଷେପ କରିଛି।

Share