ପ୍ୟୋଙ୍ଗ୍ୟାଙ୍ଗ୍, ୨୫ା୮: ଉତ୍ତର କୋରିଆର ନେତା କିମ୍ ଜଙ୍ଗ୍ ଉନ୍ କୋମାରେ ଥିବା ଜଣାପଡ଼ିଛି। ତାଙ୍କ ଭଉଣୀ କିମ୍ ୟୋ ଜଙ୍ଗ୍ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ଘଟଣା ସମ୍ପର୍କରେ ବୁଝାଶୁଝା କରୁଥିବା ମିଡିଆ ରିପୋର୍ଟରୁ ପ୍ରକାଶ। ଆମେରିକା ଓ ଦକ୍ଷିଣ କୋରିଆ ସହ କୂଟନୈତିକ ସମ୍ପର୍କ ସ୍ଥାପନ ଲାଗି ସେକେଣ୍ଡ ଇନ୍ କମାଣ୍ଡ କିମ୍ ୟୋ ଜଙ୍ଗ୍ଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଥିବା ଜଣାପଡ଼ିଛି। ଦକ୍ଷିଣ କୋରିଆର ପୂର୍ବତନ ରାଷ୍ଟ୍ରପତି କିମ୍ ଡାଏ ଜଙ୍ଗ୍ଙ୍କ ରାଜନୈତିକ ସଚିବ ତଥା ବିଶିଷ୍ଟ କୂଟନୀତିଜ୍ଞ ଚାଙ୍ଗ୍ ସୋଙ୍ଗ୍ ମିନ୍ ସୋସିଆଲ ମିଡିଆ ପୋଷ୍ଟରେ ଦର୍ଶାଇଛନ୍ତି ଯେ, ଉତ୍ତର କୋରିଆର କୌଣସି ନେତା ଏଭଳି ଅନ୍ୟ ଜଣଙ୍କ ହାତରେ ନେତୃତ୍ୱ ଟେକିଦେଇ ନ ଥାନ୍ତି। ଏହା ପଛରେ କିଛି ଚାଲ୍ କିମ୍ବା ଗୁରୁତର ଅସୁସ୍ଥତା କାରଣ ହୋଇପାରେ। କିମ୍ କୋମାରେ ଥାଇପାରନ୍ତି କିନ୍ତୁ ସେ ଏବେ ବି ଜୀବିତ ଅଛନ୍ତି। ତାଙ୍କ ଅନ୍ତେ କିଏ ଶାସନଭାର ସମ୍ଭାଳିବେ, ସେନେଇ କିଛି ସ୍ପଷ୍ଟ ହୋଇ ନ ଥିବା ସେ କହିଛନ୍ତି। ଗତ କିଛିଦିନ ଧରି କିମ୍ ସର୍ବସାଧାରଣରେ ଦେଖା ନ ଯିବା ଓ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ଥିବା ସନ୍ଦେହ କରାଯିବା ପରେ କିମ୍ଙ୍କ ମନ୍ତବ୍ୟ ଲୋକଲୋଚନକୁ ଆସିଛି। ଶେଷ ଥର ଲାଗି ଏପ୍ରିଲ ୧୧ରେ ଓ୍ବାର୍କର୍ସ ପାର୍ଟି ପଲିଟ୍ବ୍ୟୁରୋ ବୈଠକରେ କିମ୍ଙ୍କୁ ଦେଖିବାକୁ ମିଳିଥିଲା। ତେବେ ଚାଙ୍ଗ୍ କହିଛନ୍ତି, ଚଳିତ ମାସରେ ଉତ୍ତର କୋରିଆ ପକ୍ଷରୁ ଜାରି କରାଯାଇଥିବା କିମ୍ଙ୍କ ସମସ୍ତ ଫଟୋ ଜାଲ୍।