ପୁଟିନଙ୍କୁ ଭେଟିଲେ କିମ୍‌

ମସ୍କୋ,୧୩।୯: ଋଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଉତ୍ତର କୋରିଆର ନେତା କିମ ଜୋଙ୍ଗ ଉନଙ୍କୁ ଭେଟିଛନ୍ତି। ଋଷିଆର ସୁଦୂର ପୂର୍ବ ଆମୁର ଅଞ୍ଚଳରେ ଅବସ୍ଥିତ ଭୋଷ୍ଟୋଚନି କସମୋଡ୍ରୋମରେ ବୁଧବାର କିମଙ୍କୁ ଭେଟିଛନ୍ତି ପୁଟିନ। ଆମେରିକା ସହିତ ଚାଲିଥିବା ବିବାଦ ମଧ୍ୟରେ ଉଭୟ ନେତାଙ୍କ ସାକ୍ଷାତ ଏବେ ଆମେରିକାର ମୁଣ୍ଡବିନ୍ଧାର କାରଣ ସାଜିଛି।

ଋଷିଆର ସରକାରୀ ଖବରଦାତା ଏଜେନ୍ସି ଆରଆଇ ନୋଭୋଷ୍ଟି କହିଛି, ଅତ୍ୟାଧୁନିକ ସୁବିଧା ତଥା ଭାରୀ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଲିମୋଜିନ ଟ୍ରେନ ଯୋଗେ ଉତ୍ତର କୋରିଆର ରାଜଧାନୀ ପ୍ୟୋଙ୍ଗୟାଙ୍ଗରୁ କିମ ଭୋଷ୍ଟୋନି କସମୋଡ୍ରୋମରେ ପହଞ୍ଚିଛନ୍ତି। ଏଜେନ୍ସି ଅନୁଯାୟୀ, କସମୋଡ୍ରୋମରେ ଉପସ୍ଥିତ ଥିବା ପୁଟିନ ଉତ୍ତର କୋରିଆ ନେତାଙ୍କୁ ସ୍ବାଗତ କରିବା ସହ ତାଙ୍କ ସହ ହାତ ମିଳାଇ ଥିଲେ। ପୁଟିନ୍‌ ବ୍ୟସ୍ତତା ଭିତରେ ଥାଇ ମଧ୍ୟ କିମ୍‌ଙ୍କୁ ସାକ୍ଷାତ ପାଇଁ ଆମନ୍ତ୍ରଣ କରିଥିବାରୁ ପୁଟିନ୍‌ଙ୍କୁ ଧନ୍ୟବାଦ ଜଣାଇଛନ୍ତି କିମ୍‌। ଦୁଇ ନେତାଙ୍କ ବୈଠକ ଭୋଷ୍ଟୋଚନି କସମୋଡ୍ରୋମର ସ୍ପେସ ସେଣ୍ଟରରେ ଅନୁଷ୍ଠିତ ହେବ।

ସୂଚନାଯୋଗ୍ୟ, ୨୦୧୯ପରେ ଏହି ଦୁଇ ନେତାଙ୍କ ଏହା ପ୍ରଥମ ବୈଠକ। ଏହି ବୈଠକରେ ଦୁଇ ଦେଶ ମଧ୍ୟରେ ଆଣବିକ ଅସ୍ତ୍ର ନେଇ ବୁଝାମଣା ହୋଇପାରେ ବୋଲି ଆଶା କରାଯାଉଛି। ତେବେ ବୈଠକରେ ଅସ୍ତ୍ରଶସ୍ତ୍ର ସହ ଆଉ କେଉଁ ବିଷୟରେ ଆଲୋଚନ ହେବ ସେନେଇ ସାରା ବିଶ୍ୱର ନଜର ରହିଛି।

Share