ରୁଷିଆ ଗସ୍ତରେ କିମ ଜୋଙ୍ଗ ଉନ: ଅସ୍ତ୍ରଶସ୍ତ୍ର ଚୁକ୍ତି ସମ୍ପର୍କରେ ହେବ ଆଲୋଚନା

ପ୍ୟୋଙ୍ଗୟାଙ୍ଗ୍‌,୧୨।୯: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ରୁଷିଆ ଗସ୍ତରେ ଯାଇଛନ୍ତି। ସେଠାରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଅସ୍ତ୍ରଶସ୍ତ୍ର ଚୁକ୍ତି ସମ୍ପର୍କରେ ସେ ଆଲୋଚନା କରିବେ ବୋଲି ଜଣାପଡିଛି। କ୍ରେମଲିନ କିମ୍‌ଙ୍କ ଏହି ଗସ୍ତକୁ ନିଶ୍ଚିତ କରିଛି।
ଏକ ଟ୍ରେନ ଉତ୍ତର କୋରିଆର ରାଜଧାନୀ ପ୍ୟୋଙ୍ଗୟାଙ୍ଗରୁ ବାହାରି ରୁଷିଆର ଭ୍ଲାଡିଭୋଷ୍ଟୋକରେ ପହଞ୍ଚିଛି ବୋଲି ଦାବି କରାଯାଇଛି। ମଙ୍ଗଳବାର ସକାଳେ ଏଠାରେ କିମ-ପୁଟିନ ବୈଠକ ଅନୁଷ୍ଠିତ ହେବ। ଆମେରିକାର ଅଧିକାରୀମାନେ ଗତ ସପ୍ତାହରେ ଗୁପ୍ତଚର ପ୍ରଦାନ କରିଥିଲେ ଯେ, ପୁଟିନ ଏବଂ କିମ ଜୋଙ୍ଗ ଖୁବ୍‌ଶୀଘ୍ର ରୁଷିଆ ପୂର୍ବ ସହର ଭ୍ଲାଡିଭୋଷ୍ଟୋକରେ ଅସ୍ତ୍ରଶସ୍ତ୍ର ଚୁକ୍ତିରେ ସ୍ବାକ୍ଷର କରିବେ। ଖବର ଅନୁଯାୟୀ, ୟୁକ୍ରେନ ଯୁଦ୍ଧ ପାଇଁ ଉତ୍ତର କୋରିଆ ରୁଷିଆକୁ ଅସ୍ତ୍ର ଯୋଗାଇପାରେ।
ସୂଚନାଯୋଗ୍ୟ, ଉତ୍ତର କୋରିଆ ସହ ଗୁପ୍ତ ଆଲୋଚନା ବିଷୟରେ ଆମେରିକା ନିକଟରେ ରୁଷିଆକୁ ଚେତାବନୀ ଦେଇଛି।

Share