କିମ୍‌-ଜୋଙ୍ଗ୍‌-ଉନ୍‌ଙ୍କ କଠୋର ନିଷ୍ପତ୍ତି: କରୋନା ନିୟମ ଭାଙ୍ଗିବାରୁ ଗୁଳି କରି ହତ୍ୟା

ପ୍ୟୋଙ୍ଗୟାଙ୍ଗ୍‌,୬ା୧୨: ଉତ୍ତରକୋରିଆର ଏକଛତ୍ରବାଦ ଶାସକ କିମ୍‌-ଜୋଙ୍ଗ-ଉନ୍‌ଙ୍କ ନିଷ୍ଠୁରତା ବିଷୟରେ କାହାକୁ ବା ଅଜଣା । ପୁଣି ଥରେ ସେ ତାଙ୍କର ନିଷ୍ଠୁରତା ପାଇଁ ଚର୍ଚ୍ଚାକୁ ଆସିଛନ୍ତି । କରୋନା ଭାଇରସ ସଂକ୍ରମଣକୁ ନେଇ ଉତ୍ତରକୋରିଆରେ ଖାଲି କଡ଼ା ନିୟମ ଲାଗୁ କରାଯାଇନି, କରୋନା ନିୟମ ଭାଙ୍ଗୁଥିବା ଲୋକଙ୍କୁ କଠୋର ଦଣ୍ଡ ମଧ୍ୟ ଦିଆଯାଉଛି। ଏପରିକି ମୃତ୍ୟୁ ଦଣ୍ଡ ମଧ୍ୟ ଦେବାକୁ କିମ୍‌ ଘୋଷଣା କରିଛନ୍ତି। ଯାହା ଫଳରେ କରୋନା ନିୟମ ଉଲ୍ଲଂଘନ କରିଥିବା ଜଣେ ବ୍ୟକ୍ତିକୁ ଉତ୍ତରକୋରିଆରେ ଗୁଳି କରି ହତ୍ୟା କରାଯାଇଥିବା ଜଣାଯାଇଛି ।

କିମ୍‌ ନିଜର ନାଗରିକଙ୍କୁ ଡରାଇବା ପାଇଁ ଚାଇନା ସୀମାକୁ ଲାଗି ଥିବା ଅଞ୍ଚଳରେ ଆଣ୍ଟି ଏୟାରକ୍ରାଫ୍ଟ ବନ୍ଧୁକଧାରୀଙ୍କୁ ମୁତୟନ କରିଛନ୍ତି । ଯଦି କେହି କରୋନା ନିୟମ ଉଲ୍ଲଂଘନ କରନ୍ତି, ତାଙ୍କୁ ଗୁଳି କରି ହତ୍ୟା କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଫଳରେ ଗତ ୨୮ ତାରିଖରେ ତାଙ୍କ ସେନା କରୋନା ପ୍ରତିବନ୍ଧକ ମାନି ନ ଥିବାରୁ ଜଣେ ବ୍ୟକ୍ତିଙ୍କୁ ସର୍ବସାଧାରଣରେ ଗୁଳି କରି ହତ୍ୟା କରିଛି ।

ଅଭିଯୋଗ ଅନୁଯାୟୀ, ଉକ୍ତ ବ୍ୟକ୍ତି ନିୟମ ଉଲ୍ଲଂଘନ କରି ଉତ୍ତରକୋରିଆରେ ଚାଇନା ଜିନିଷ ବିକ୍ରି କରୁଥିବା ବେଳେ ଧରା ପଡ଼ିଥିଲେ। ଫଳରେ କିମ୍‌ଙ୍କ ଆଦେଶ ଅନୁସାରେ ସ୍ଥାନୀୟ ସୁରକ୍ଷା ବଳ ତାଙ୍କ ଉପରେ ଗୁଳି ବର୍ଷଣ କରି ସର୍ବସାଧାରଣରେ ହତ୍ୟା କରିଥିଲେ। କିମ୍‌ଙ୍କର ଏହି ନିୟମ ଏବେ ଦେଶରେ ଆତଙ୍କ ସୃଷ୍ଟି କରିଛି ।

Share