ଗୁପ୍ତଚର ଉପଗ୍ରହ ଉତ୍‌କ୍ଷେପଣ ବିଫଳ ନେଇ କ୍ରୋଧ ଜର୍ଜରିତ ହେଲେ କିମ୍‌, ଅଧିକାରୀଙ୍କୁ ସମାଲୋଚନା…

ପ୍ୟୋଙ୍ଗୟାଙ୍ଗ,୧୯।୬ : ଉତ୍ତର କୋରିଆ ପକ୍ଷରୁ ସେନାର ଶକ୍ତି ବଢ଼ାଇବା ପାଇଁ କରାଯାଇଥିବା ପ୍ରଥମ ଗୁପ୍ତଚର ଉପଗ୍ରହର ଉତକ୍ଷେପଣ ନିକଟରେ ବିଫଳ ହୋଇଥିଲା। ପ୍ରତିଦ୍ୱନ୍ଦ୍ୱୀ ଦକ୍ଷିଣ କୋରିଆ ତଥା ଆମେରିକାର ସାମରିକ ଅଭ୍ୟାସ ଉପରେ ନଜର ରଖିବା ପାଇଁ ଏହା ଆରମ୍ଭ କରାଯାଇଥିଲା। ବର୍ତ୍ତମାନ ଏକ ରିପୋର୍ଟ ବାହାରିଛି, ଯେଉଁଥିରେ କୁହାଯାଇଛି ନିକଟରେ ବିଫଳ ହୋଇଥିବା ଗୁପ୍ତଚର ଉପଗ୍ରହକୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଉତ୍ତର କୋରିଆ ଏହାର ଅଧିକାରୀମାନଙ୍କର ପଚରାଉଚରା କରିଛି।

କୁହାଯାଉଛି ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନଙ୍କ ଦଳ ଏକ ଉଚ୍ଚ ସ୍ତରୀୟ ବୈଠକରେ ଏହି ବିଫଳତାକୁ ନିନ୍ଦା କରିଛନ୍ତି। ଏହି ବୈଠକରେ ଅଧିକାରୀଙ୍କୁ ତୀବ୍ର ସମାଲୋଚନା କରାଯାଇଥିଲା।
ମେ ୩୧ ରେ ଉତ୍ତର କୋରିଆ ଏହାର ପ୍ରଥମ ସାମରିକ ଗୁପ୍ତଚର ଉପଗ୍ରହକୁ କକ୍ଷପଥରେ ରଖିବାକୁ ଚେଷ୍ଟା କରିଥିଲା, କିନ୍ତୁ ଉପଗ୍ରହକୁ ନେଇଥିବା ରକେଟ ୟେଲୋ ସିରେ ଖସିପଡିଥିଲା। ଇଞ୍ଜିନ ତ୍ରୁଟି ଏହା ପଛର କାରଣ ବୋଲି କୁହାଯାଉଥିଲା। ଯଥାଶୀଘ୍ର ପୁନର୍ବାର ଉପଗ୍ରହ ଉତକ୍ଷେପଣ କରିବ ବୋଲି ଉତ୍ତର କୋରିଆ କହିଥିଲା।

କୋରିଆର ୱାର୍କର୍ସ ପାର୍ଟିର କେନ୍ଦ୍ରୀୟ କମିଟିର ବୈଠକର ରିପୋର୍ଟରେ ଶାସକ ଦଳ ଦାୟିତ୍ୱହୀନ ଭାବରେ ଉପଗ୍ରହ ଉତକ୍ଷେପଣ କରିଥିବା ଅଧିକାରୀମାନଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଏହା ସହିତ ଏହି ଲୋକମାନେ ମଧ୍ୟ ତଦନ୍ତ ଦାବି କରିଛନ୍ତି। ଖୁବ ଶୀଘ୍ର ଏହି ଉପଗ୍ରହ ଉତକ୍ଷେପଣ କରିବ ବୋଲି କମିଟି କହିଛି। ଏହାପୂର୍ବରୁ ପ୍ୟୋଙ୍ଗୟାଙ୍ଗ କହିଥିଲା ଏହି ଅଞ୍ଚଳରେ ବଢୁଥିବା ଆମେରିକାର ସାମରିକ ଉପସ୍ଥିତିକୁ ପରାସ୍ତ କରିବା ଆବଶ୍ୟକ।

ସାମରିକ ଗୁପ୍ତଚର ଉପଗ୍ରହ ଉତକ୍ଷେପଣ ଯୋଜନାକୁ ଆମେରିକା, ଦକ୍ଷିଣ କୋରିଆ ଏବଂ ଜାପାନ ନିନ୍ଦା କରିଛନ୍ତି। ସେମାନେ କହିଛନ୍ତି ଏହା ଆଣବିକ ଅସ୍ତ୍ରଶସ୍ତ୍ର ବାଲିଷ୍ଟିକ କ୍ଷେପଣାସ୍ତ୍ର ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ମିଳିତ ଜାତିସଂଘର ନିଷ୍ପତ୍ତିକୁ ଉଲ୍ଲଂଘନ କରୁଛି।

Share