ସୁରକ୍ଷା ପରିଷଦ ବୈଠକକୁ ବିରୋଧ କଲେ କିମ୍‌…

ପ୍ୟୋଙ୍ଗୟାଙ୍ଗ,୫।୬ : ଜାତିସଂଘ ସୁରକ୍ଷା ପରିଷଦ ବୈଠକକୁ ଉତ୍ତର କୋରିଆ ଦୃଢ଼ ବିରୋଧ କରିଛି ଏବଂ ପ୍ରତ୍ୟାଖ୍ୟାନ କରିଛି। ପ୍ୟୋଙ୍ଗୟାଙ୍ଗର ବିଫଳ ଗୁପ୍ତଚର ଉପଗ୍ରହ ଉତକ୍ଷେପଣକୁ ନେଇ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନଙ୍କ ଭଉଣୀ କିମ ୟୋ ଜୋଙ୍ଗ କହିଛନ୍ତି ମିଳିତ ଜାତିସଂଘ ସେମାନଙ୍କ ଆଭ୍ୟନ୍ତରୀଣ କାର୍ଯ୍ୟରେ ହସ୍ତକ୍ଷେପ କରୁଛି। ପରିଷଦ ସେମାନଙ୍କର ସାର୍ବଭୌମତ୍ୱର ଉଲ୍ଲଂଘନ କରୁଛି। ସେ କହିଛନ୍ତି ଏହା ସମ୍ପୂର୍ଣ୍ଣ ଭୁଲ ଏବଂ ପକ୍ଷପାତିତ ଅଟେ।

କିମ ୟୋ ଜୋଙ୍ଗ କହିଛନ୍ତି ସେ ବହୁତ ଦୁଃଖିତ । ଏହି ପରିଷଦ ଆମେରିକା କହିବା ଅନୁସାରେ କୋରିଆ ସରକାରଙ୍କ ଅଧିକାର ତଥା ସାର୍ବଭୌମତ୍ୱର ଉଲ୍ଲଂଘନ କରୁଛି, ଯାହା ଅନ୍ୟାୟ ଅଟେ। ପରିଷଦକୁ ବିରୋଧ କରିବାକୁ କିମ ଶପଥ ନେଇଛନ୍ତି। କେବଳ ଆମେରିକାର ଅନୁରୋଧ କ୍ରମେ କୋରିଆର ଉପଗ୍ରହ ଉତକ୍ଷେପଣ ପ୍ରସଙ୍ଗରେ ପରିଷଦ ଏକ ବୈଠକ କରିଥିଲା। ଏହା ସହିତ ପରିଷଦ ପୁଣି ଥରେ ପ୍ରମାଣିତ କରିଛି ଏହା ଏକ ଦେଶର ପ୍ରଚାର ପାଇଁ କିପରି କାର୍ଯ୍ୟ କରେ । କିମ କହିଛନ୍ତି ଆଜି ପ୍ରାୟ ୫୦୦୦ ଉପଗ୍ରହ ବିଭିନ୍ନ ଉଦ୍ଦେଶ୍ୟରେ ପୃଥିବୀରେ ଅଛି। ଏପରିକି ଘରୋଇ କମ୍ପାନୀଗୁଡ଼ିକ ମଧ୍ୟ ମହାକାଶରେ ଜାଗା ପ୍ରତି ଆଗ୍ରହ ଦେଖାଉଛନ୍ତି। ପରିଷଦ ତାଙ୍କ ସାବଭୌମତ୍ୱ ଏବଂ ବିକାଶ ବିରୁଦ୍ଧରେ ଏକପାଖିଆ କାର୍ଯ୍ୟ କରୁଥିବା ସେ ଅଭିଯୋଗ କରିଛନ୍ତି। ଏହା ଅତ୍ୟନ୍ତ ବିପଜ୍ଜନକ ଅଟେ। ଏହା ଯୋଗୁ ଶକ୍ତିର ଅସନ୍ତୁଳନ ହୋଇପାରେ ।

Share