ପ୍ୟୋଙ୍ଗୟାଙ୍ଗ,୭।୧୧ : ଉତ୍ତର କୋରିଆ, ଦକ୍ଷିଣ କୋରିଆ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଗତ ସପ୍ତାହରେ ଉତ୍ତର କୋରିଆ ଦ୍ୱାରା ୧୨ ପାଖାପାଖି କ୍ଷେପଣାସ୍ତ୍ର ଉତକ୍ଷେପଣ କରାଯାଇଥିଲା। ଏବେ ଉତ୍ତର କୋରିଆ ଶାସକ କିମ୍ ଜୋଙ୍ଗ ଉନ୍ଙ୍କ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି। ଉତ୍ତର କୋରିଆ ସ୍ପଷ୍ଟ କରିଛି ଯେ ଏହାର କ୍ଷେପଣାସ୍ତ୍ର ଉତକ୍ଷେପଣ ଦକ୍ଷିଣ କୋରିଆ ଏବଂ ଆମେରିକାକୁ ମୁକାବିଲା କରିବା ପାଇଁ ଏକ ଅଭ୍ୟାସ ଭାବରେ କରାଯାଉଛି।
ଉତ୍ତର କୋରିଆ ସୋମବାର କହିଛି ଯେ ଅପରେଶନ କମାଣ୍ଡ ସିଷ୍ଟମକୁ ପ୍ରତିହତ କରିବାକୁ ଲକ୍ଷ୍ୟ ରଖି ଏହାର ପ୍ରତିଦ୍ୱନ୍ଦ୍ୱୀ ଦେଶର ବାୟୁସେନା ଏବଂ ଯୁଦ୍ଧ ବିମାନ ଉପରେ ଆକ୍ରମଣ କରିବାର ଅଭ୍ୟାସ ଭାବରେ କ୍ଷେପଣାସ୍ତ୍ର ପରୀକ୍ଷା କରାଯାଇଛି। ଉତ୍ତର କୋରିଆ କହିଛି ଯେ ଏହି ପରୀକ୍ଷଣରେ ଆମେରିକା ଏବଂ ଦକ୍ଷିଣ କୋରିଆ ସାମରିକ ଅଭ୍ୟାସକୁ ପ୍ରତିହତ କରିବା ପାଇଁ ଏହାର ସଂକଳ୍ପ ପ୍ରତିଫଳିତ ହୋଇଛି।