ଗୁପ୍ତ ଭାବେ ଯୁଦ୍ଧ ପ୍ରସ୍ତୁତି କରୁଛନ୍ତି କିମ: ଅସ୍ତ୍ରଶସ୍ତ୍ର ଉତ୍ପାଦନ ବୃଦ୍ଧି ପାଇଁ ଦେଲେ ନିର୍ଦ୍ଦେଶ…

ପ୍ୟୋଙ୍ଗୟାଙ୍ଗ,୨୮।୯ : ଉତ୍ତର କୋରିଆ ନେତା କିମ ଜୋଙ୍ଗ ଉନ ତାଙ୍କ ଦେଶକୁ ଆଣବିକ ଅସ୍ତ୍ରଶସ୍ତ୍ର ଉତ୍ପାଦନକୁ ବୃଦ୍ଧି କରିବାକୁ ଏବଂ ଏକ ନୂତନ ଶୀତଳ ଯୁଦ୍ଧରେ ଆମେରିକା ସହ ମୁହାଁମୁହିଁ ହୋଇଥିବା ରାଷ୍ଟ୍ର ମିଳିତ ମଞ୍ଚରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ଆହ୍ବାନ ଦେଇଛନ୍ତି। ଗଣମାଧ୍ୟମ ଗୁରୁବାର ଏହି ସୂଚନା ଦେଇଛି।
କୋରିଆର କେନ୍ଦ୍ରୀୟ ନ୍ୟୁଜ ଏଜେନ୍ସି କହିଛି ସଂସଦର ଦୁଇ ଦିନିଆ ଅଧିବେଶନରେ କିମ ପରମାଣୁ ଅସ୍ତ୍ର ସମ୍ବନ୍ଧରେ ମନ୍ତବ୍ୟ ଦେଇଛନ୍ତି। ଦେଶର ଆଣବିକ ଅସ୍ତ୍ର କାର୍ଯ୍ୟକ୍ରମକୁ ବିସ୍ତାର କରିବାର ନୀତି ଅନ୍ତର୍ଭୁକ୍ତ କରିବା ପାଇଁ ସମ୍ବିଧାନରେ ସଂଶୋଧନ କରାଯାଇଛି ବୋଲି କିମ ବିବୃତ୍ତିରେ କହିଛନ୍ତି।

ଉତ୍ତର କୋରିଆ ଧୀରେ ଧୀରେ ଏହାର କରୋନା ମହାମାରୀ କଟକଣାକୁ ସମାପ୍ତ କରୁଛି। କିମ ମସ୍କୋ ଏବଂ ବେଜିଂ ସହିତ ସହଭାଗିତାକୁ ସକ୍ରିୟ ଭାବେ ବୃଦ୍ଧି କରୁଛି । କୂଟନୈତିକ ଆଧାରରେ ୱାଶିଂଟନ ବିରୋଧରେ ଏକ ମିଳିତ ଫ୍ରଣ୍ଟ ଗଠନ କରିବାକୁ ଉତ୍ତର କୋରିଆ ଚେଷ୍ଟା କରୁଛି। କିମ ଏକ ନୂତନ ଶୀତଳ ଯୁଦ୍ଧରେ ପ୍ରବେଶ କରିବାକୁ ସଂକେତ ଦେଇଛନ୍ତି। ଉତ୍ତର କୋରିଆକୁ ଆଣବିକ କ୍ଷମତା ବୃଦ୍ଧି କରିବାକୁ କିମ ନିର୍ଦ୍ଦେଶ ଦେଇଛନ୍ତି।

ଉତ୍ତର କୋରିଆର ନୂତନ ଆଣବିକ ନିର୍ମାଣ ନୀତି ଅନୁମୋଦନ ହୋଇଛି। କେସିଏନଏ କହିଛି ଦେଶର ଅସ୍ତିତ୍ୱ ତଥା ବିକାଶର ଅଧିକାରକୁ ସୁନିଶ୍ଚିତ କରିବା, ଯୁଦ୍ଧକୁ ରୋକିବା ଏବଂ ଆଣବିକ ଅସ୍ତ୍ରଶସ୍ତ୍ରକୁ ଶୀଘ୍ର ଉଚ୍ଚ ସ୍ତରରେ ବିକଶିତ କରି ଆଞ୍ଚଳିକ ତଥା ବିଶ୍ୱ ଶାନ୍ତି ରକ୍ଷା କରିବା ପାଇଁ ସଂସଦ ସଦସ୍ୟମାନେ ସମ୍ବିଧାନରେ ଏକ ନୂତନ ନୀତି ପାଇଁ ଭୋଟ ଦେଇଛନ୍ତି। ସର୍ବସମ୍ମତି କ୍ରମେ ଏହାକୁ ଅନୁମୋଦନ କରାଯାଇଛି।

Share